ଆଇପିସି ୩୭୭ ଧାରାର ସାମ୍ବିଧାନିକ ବୈଧତା ଉପରେ ପୁନଃପରୀକ୍ଷଣ କରାଯିବ: ସୁପ୍ରିମ୍‌ କୋର୍ଟ 

ନୂଆଦିଲ୍ଲୀ: ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ୩୭୭ ଧାରାରେ ସମଲିଙ୍ଗୀ ସଂପର୍କକୁ ଏକ ଅପରାଧିକ ମାମଲା ରୂପେ  ବିବବେଚନା କରିବା ପାଇଁ ରହିଥିବା ବ୍ୟବସ୍ଥାର ସାମ୍ବିଧାନିକ ବୈଧତା ଉପରେ ପୁନଃପରୀକ୍ଷଣ କରାଯିବ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ସୋମବାର ଘୋଷଣା କରିଛନ୍ତି।
ଏ ସଂପର୍କିିତ ଆଗତ ଏକ ମାମଲାର ବିଚାର କରିବା ଅବସରରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏଏମ୍‌ ଖାନ୍‌ଓ୍ଵିଲ୍‌କର ଓ ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଆଇପିସିର ୩୭୭ ଧାରାର ସାମ୍ବିଧାନିକ ବୈଧତା ସଂପର୍କରେ ଏକ ବୃହତ୍ତର ଖଣ୍ଡପୀଠରେ ବ୍ୟାପକ ବିଚାର ଓ ବିତର୍କ ହେବାର ଆବଶ୍ୟକତା ରହିଛି।
ଉଲ୍ଲେଖଯୋଗ୍ୟ, ନଭତେଜ୍‌ ସିଂହ ଜୋହରଙ୍କ ପକ୍ଷରୁ ଆଇପିସିର ୩୭୭ ଧାରାକୁ ଅସମ୍ବିଧାନିକ ବୋଲି ଘୋଷଣା କରିବା ପାଇଁ ଆଗତ ଏକ ମାମଲାର ବିଚାର କରିବା ଅବସରରେ ସୁପ୍ରିମ୍‌ କୋର୍ଟ ଏପରି ମତ ବ୍ୟକ୍ତ କରିବା ସହ ଏସଂପର୍କରେ କାରଣ ଦର୍ଶାଇବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ନୋଟିସ୍‌ ଜାରି କରିଛନ୍ତି। ଆଗତ ମାମଲାରେ ନଭତେଜ୍‌ ଦର୍ଶାଇଛନ୍ତି, ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ନିଜ ପାଇଁ ଯୌନ ସାଥୀ ଚୟନ କରିବା ହେଉଛି ତାଙ୍କର ଏକ ମୌଳିକ ଅଧିକାର। ଆଉ ଦୁଇ ପ୍ରାପ୍ତ ବୟସ୍କ ସାଥୀଙ୍କ ମଧ୍ୟରେ ସହମତି ଭିତ୍ତିରେ ଯୌନ ସଂପର୍କ ସ୍ଥାପିତ ହେଉଛି, ତେବେ ତାହା ଏକ ଦଣ୍ଡନୀୟ ଅପରାଧ ନୁହେଁ।
ସମ୍ବନ୍ଧିତ ଖବର