ହାଇକୋର୍ଟକୁ ଆସିଲା କୁନ୍ଦୁଲି ମାମଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଦାଏର ହୋଇଥିବା ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ଆଜି ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି। କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବି ପାଇଁ ପୀଡ଼ିତାଙ୍କ ଭାଇ ଭଗବାନ ଛତିଙ୍କ ପକ୍ଷରୁ ଗତ ୭ ତାରିଖରେ ଦାଖଲ ହୋଇଥିବା ରିଟ୍‌ ପିଟିସନ୍‌ର ଶୁଣାଣି କରି ଆଜି ବିଚାରପତି ଆଦର୍ଶ କୁମାର ଗୋଏଲ ଓ ବିଚାରପତି ଉଦୟ ଉମେଶ ଲଳିତଙ୍କ ଖଣ୍ଡପୀଠ ମାମଲାକୁ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ କହିଥିଲେ। ଫଳରେ କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବିରେ ପୂର୍ବରୁ ହାଇକୋର୍ଟରେ ଦାଏର ୪ଟି ମାମଲା ସହ ଏହି ସୁପ୍ରିମକୋର୍ଟ ମାମଲାକୁ ମିଶାଇ ୫ଟି ଯାକ ମାମଲାର ଏକତ୍ର ଶୁଣାଣି ହେବ ବୋଲି ସ୍ପଷ୍ଟ ହୋଇଛି।

ଆଜି ଆବେଦନକାରୀ ଭଗବାନଙ୍କ ଓକିଲ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଯୁକ୍ତି ବାଢ଼ିବା ସହ ପିଟିସନ୍‌ରେ ଦର୍ଶାଯାଇଥିବା ପ୍ରାର୍ଥନାକୁ ବିଚାର କରିବା ପାଇଁ ଅନୁରୋଧ କରିଥିଲେ। ତେବେ ଆବେଦନକାରୀଙ୍କ ତର୍କ ଶୁଣିବା ପରେ ଖଣ୍ଡପୀଠ ଏହି ମାମଲାରେ ନୋଟିସ ଜାରି କରାଯାଇପାରିବ ବୋଲି ପ୍ରଥମେ ଟିପ୍ପଣୀ କରିିଥିଲେ। ତେବେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ଓଡ଼ିଶା ହାଇକୋର୍ଟରେ ୪ଟି ପିଟିସନ ଦାଖଲ କରାଯାଇଛି ଓ ମାମଲାଗୁଡ଼ିକ ବିଚାରାଧୀନ ଥିବାରୁ ନୋଟିସ ଜାରି କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ରାଜ୍ୟ ସରକାରଙ୍କ ଓକିଲ ଯୁକ୍ତି କରିଥିଲେ। ଦୁଇପକ୍ଷଙ୍କ ତର୍କ ଶୁଣିବା ପରେ ସୁପ୍ରିମକୋର୍ଟରେ ଆଗତ ଏହି ମାମଲା ଖାରଜ କରାଯାଉନାହିଁ, ବରଂ ଏହାକୁ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର କରାଯାଉଛି ବୋଲି ଖଣ୍ଡପୀଠ କହିଥିଲେ।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ପୁଲିସର ତଦନ୍ତ ଉପରେ ଭରସା ନାହିଁ ଦର୍ଶାଇ ସିବିଆଇ ତଦନ୍ତ ହିଁ ସତ୍ୟାସତ୍ୟ ଉନ୍ମୋଚନ କରିପାରିବ ବୋଲି ପୀଡ଼ିତାଙ୍କ ଭାଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ରାଜ୍ୟ ପୁଲିସ ଏଭଳି ଏକ ସ୍ପର୍ଶକାତର ଘଟଣା ଦୁର୍ବଳ କରିଦେବା ପାଇଁ ତଦନ୍ତକୁ ବାଟବଣା କରିଛି ବୋଲି ପିଟିସନ୍‌ରେ ସେ ଅଭିଯୋଗ କରିଥିଲେ। ଏଠାରେ ସ୍ମରଣଯୋଗ୍ୟ, ଏହି ଘଟଣାର ସମ୍ବେଦନଶୀଳତାକୁ ଅନୁଭବ କରି ଏନ୍‌ଏଚ୍‌ଆର୍‌ସି ଏବଂ ଜାତୀୟ ଅନୁସୂଚିତ ଜାତି ଆୟୋଗ ଦ୍ୱାରା ମାମଲାର ସରଜମିନ ତଦନ୍ତ କରାଯାଇଛି। ସେହିପରି ଘଟଣାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ କରିବା ପାଇଁ ଗତ ୭ ତାରିଖରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର