ଓଡ଼ିଶାର ମେଡିକାଲ୍‌ ବଣ୍ଡ୍‌ ପଲିସିକୁ କାଏମ୍‌ ରଖିଲେ ସୁପ୍ରିମ୍‌ କୋର୍ଟ

ଭୁବନେଶ୍ୱର: ଓଡ଼ିଶା ସମେତ କେତେଗୁଡ଼ିଏ ରାଜ୍ୟରେ ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମ ଏବଂ ସୁପର୍‌ ସ୍ପେସିଆଲିଟି ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଲାଗୁ କରାଯାଇଥିବା ବାଧ୍ୟତାମୂଳକ ବଣ୍ଡ୍‌ ବିରୋଧରେ ଚାଲେଞ୍ଜ୍‌ କରି ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌କୁ ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଛନ୍ତି।

ଓଡ଼ିଶା ସରକାରଙ୍କ ତରଫରୁ ହାଜର ହୋଇଥିବା ଓକିଲ ଶିବାଶିଷ ମିଶ୍ର ସୁପ୍ରିମ୍‌ କୋର୍ଟଙ୍କୁ ଅବଗତ କରାଇଥିଲେ କି, ଅଲ୍‌ ଇଣ୍ଡିଆ କାଉନ୍‌ସେଲିଙ୍ଗ୍‌ର ମେଧା ଆଧାରରେ ରାଜ୍ୟରେ ଥିବା ୪୫ଟି ସୁପର୍‌ ସ୍ପେସିଆଲିଟି ପାଠ୍ୟକ୍ରମ ପୂରଣ କରାଯାଇଛି। ପ୍ରତି ବର୍ଷ ଲାଗି ସରକାରୀ କଲେଜରେ ଫି’ ନିଆଯାଉଛି ୪୫, ୦୦୦ ଟଙ୍କା ଏବଂ ସୁପର୍‌ ସ୍ପେସିଆଲିଟି ପାଠ୍ୟକ୍ରମ କରୁଥିବା ଡାକ୍ତରମାନଙ୍କୁ ୫୪, ୮୨୬ ଟଙ୍କା ଷ୍ଟାଇପେଣ୍ଡ୍‌ ମିଳୁଛି। ରାଜ୍ୟରେ ସୁପର୍‌ ସ୍ପେସିଆଲିଟି ଡାକ୍ତରଙ୍କର ଘୋର ଅଭାବ ଦେଖା ଦେଇଛି ଏବଂ ସରକାର ସର୍ବସାଧାରଣଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ବଣ୍ଡ୍‌ ବ୍ୟବସ୍ଥା ଲାଗୁ କରିଛନ୍ତି।

Image Source: New India Express

ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ଜଷ୍ଟିସ୍‌ ହେମନ୍ତ ଗୁପ୍ତଙ୍କ ଖଣ୍ଡପୀଠ ଲକ୍ଷ୍ୟ କଲେ ଯେ ଭାରତୀୟ ସମ୍ବିଧାନର ଧାରା ୨୧ ଅଧୀନରେ ସମାଜର ବଞ୍ଚିତବର୍ଗଙ୍କ ମୌଳିକ ଅଧିକାରକୁ ସୁରକ୍ଷା ରଖିବାକୁ ରାଜ୍ୟ ସରକାର ଲାଗୁ କରିଥିବା ସର୍ଭିସ୍‌ ବଣ୍ଡ୍‌ର ଉଦ୍ଦେଶ୍ୟ ପ୍ରଶଂସାଜନକ।

ଏହି ସର୍ଭିସ୍‌ ବଣ୍ଡ୍‌ଗୁଡ଼ିକ ସବୁ ରାଜ୍ୟରେ ସମାନ ନୁହେଁ। କେତେକ ଏଥିରେ କଠୋର ସର୍ତ୍ତାବଳୀ ରଖିଛନ୍ତି। ବଣ୍ଡ୍‌ର ସର୍ତ୍ତାବଳୀ ସବୁ ରାଜ୍ୟରେ ସମାନ ରଖିବାକୁ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାର ଏବଂ ମେଡିକାଲ୍‌ କାଉନ୍‌ସିଲ୍‌ର ଦୃଷ୍ଟି ଆକର୍ଷଣ କରିଛନ୍ତି।
ବାଧ୍ୟତାମୂଳକ ବଣ୍ଡ୍‌ ସର୍ତ୍ତାବଳୀକୁ ଉଚ୍ଛେଦ କରିବାକୁ ଆସୋସିଏସନ୍‌ ଅଫ୍‌ ମେଡିକାଲ୍‌ ସୁପର୍‌ ସ୍ପେସାଲିଟି ଆସ୍‌ପିରାଣ୍ଟ୍‌ ଆଣ୍ଡ୍‌ ରେସିଡେଣ୍ଟ୍‌ସ୍‌ ଏହି ରିଟ୍‌ ପିଟିସନ୍‌ ଦାଏର କରିଥିଲା।

ଓଡ଼ିଶାରେ ଡାକ୍ତରୀ ଛାତ୍ରମାନଙ୍କ ନିମନ୍ତେ ପରିମାର୍ଜିତ ବଣ୍ଡ୍‌ ପଲିସି ଅନୁସାରେ, ସରକାରୀ କଲେଜ୍‌ରେ ଏମ୍‌ବିବିଏସ୍‌, ସ୍ନାତକତ୍ତୋର ଏବଂ ସୁପର୍‌ ସ୍ପେସିଆଲାଇଜେସନ୍‌ ଡାକ୍ତରୀ ପାଠ୍ୟକ୍ରମ କରୁଥିବା ଶିକ୍ଷାର୍ଥୀମାନେ ସର୍ବନିମ୍ନ ଦୁଇ ବର୍ଷ ଓଡ଼ିଶାରେ ଚାକିରି କରିବେ। ଯେଉଁମାନେ ସର୍ତ୍ତ ଖିଲାପ କରିବେ ସେମାନେ ଦଣ୍ଡିତ ହେବେ। ଏମ୍‌ବିବିଏସ୍‌ ଶେଷ କରିବା ପରେ ଯେଉଁମାନେ ରାଜ୍ୟରେ ସର୍ବନିମ୍ନ ସମୟ ଚାକିରି କରିବେ ନାହିଁ ସେମାନଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ସ୍ନାତକତ୍ତୋର ଶିକ୍ଷାର୍ଥୀମାନେ ବଣ୍ଡ୍‌ କମ୍ପେନ୍‌ସେନ୍‌ ବାବଦକୁ ୧. ୫ କୋଟି ଟଙ୍କା ଏବଂ ସୁପର୍‌-ସ୍ପେସିଆଲିଟି ଶିକ୍ଷାର୍ଥୀମାନେ ୨ କୋଟି ଟଙ୍କା ଦାଖଲ କରିବେ।

ସମ୍ବନ୍ଧିତ ଖବର