ଦୁଷ୍କର୍ମ ଘଟଣା ବୃଦ୍ଧି ନେଇ ସୁପ୍ରିମ୍‌କୋର୍ଟଙ୍କ ଉଦ୍‌ବେଗ :ଦେଶରେ ଏ କ’ଣ ଚାଲିଛି?

ପ୍ରତି ୬ ଘଣ୍ଟାରେ ଜଣଙ୍କୁ ଦୁଷ୍କର୍ମ ହେଉଛି

ନୂଆଦିଲ୍ଲୀ: ଦେଶରେ ସଂପ୍ରତି ଦୁଷ୍କର୍ମ ଘଟଣା ବଢ଼ିଚାଲିଥିବାରୁ ସୁପ୍ରିମ୍‌କୋର୍ଟ ଆଜି ଏ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଶେଷକରି ବିହାର ଓ ଉତ୍ତର ପ୍ରଦେଶ ଆଶ୍ରୟସ୍ଥଳରେ ଦୁଇଟି ବଡ଼ ଦୁଷ୍କର୍ମ ଘଟଣା ପଦାକୁ ଆସିବା ପରେ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ଏଭଳି ଉଦ୍‌ବେଗ ପ୍ରକାଶ ପାଇଛି। ବିଚାରପତି ଏମ୍‌ ବି ଲୋକୁର, ଦୀପକ ଗୁପ୍ତା ଓ କେ ଏମ୍‌ ଯୋଶେଫ୍‌ଙ୍କ ଖଣ୍ଡପୀଠ ଦୁଷ୍କର୍ମ ଘଟଣା ବୃଦ୍ଧିକୁ ନେଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦେଶରେ ଏବେ ସବୁ ଜାଗାରେ ଏହି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବାମପାର୍ଶ୍ୱ, ଡାହାଣପାର୍ଶ୍ୱ ଏବଂ କେନ୍ଦ୍ରସ୍ଥଳ ଆଦି ସବୁଠାରେ ନାବାଳିକା ଓ ମହିଳାମାନଙ୍କୁ ଦୁଷ୍କର୍ମ କରାଯାଉଛି। ଦେଶରେ ଏ କ’ଣ ଚାଲିଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟକୁ ଆଧାର କରି ଖଣ୍ଡପୀଠ ଦର୍ଶାଇଛନ୍ତି ଯେ ଦେଶରେ ଏବେ ପ୍ରତି ୬ ଘଣ୍ଟାରେ ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି। ସେହିଭଳି ୨୦୧୬ରେ ଭାରତରେ ୩୮,୯୪୭ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ପ୍ରତି ବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ହେଲେ ମହିଳାମାନେ କେମିତି ସୁରକ୍ଷିତ ରହିବେ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ଘଟଣାକୁ ନେଇ ଖଣ୍ଡପୀଠ ଆଜି ବିହାର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସରକାରୀ ଅନୁଦାନରେ ଚାଲୁଥିବା ଆଶ୍ରୟସ୍ଥଳରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଚାଲିଥିଲା, କିନ୍ତୁ ସରକାରଙ୍କୁ ଏ ବାବଦରେ କାଣିଚାଏ ବି ଆଭାସ ମିଳିଲା ନାହିଁ କେମିତି? ଏଥିରୁ ଜଣାପଡୁଛି, ସରକାରଙ୍କ ପ୍ରୋତ୍ସାହନରେ ହିଁ ଏ ସବୁ କାର୍ଯ୍ୟ ଚାଲିଥିଲା ବୋଲି ଖଣ୍ଡପୀଠ କହିଛନ୍ତି।
ବିହାର ଆଶ୍ରୟସ୍ଥଳ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତର ପତ୍ନୀଙ୍କୁ ତୁରନ୍ତ ଗିରଫ ପାଇଁ ଆଜି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାମାନଙ୍କର ନାମ, ଫଟୋ କିମ୍ବା ଅନ୍ୟ କୌଣସି ବିବରଣୀ ପ୍ରକାଶ ନ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିକଟରେ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ସମ୍ପୃକ୍ତ ଅଭିଯୁକ୍ତର ପତ୍ନୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୀଡ଼ିତାମାନଙ୍କର ନାମ ପ୍ରକାଶ କରିଛି। ଏହା ସର୍ବୋଚ୍ଚ ଅଦାଲତଙ୍କ ସାମ୍ନାକୁ ଆସିବା ପରେ ଖଣ୍ଡପୀଠ ଏଭଳି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କେଉଁ ଭିତ୍ତିରେ ମୁଜାଫରପୁର ଆଶ୍ରୟସ୍ଥଳକୁ ସରକାରୀ ପାଣ୍ଠି ଯୋଗାଇ ଦିଆଯାଇଛି ଏବଂ ପାଣ୍ଠି ଯୋଗାଣ ପୂର୍ବରୁ ଉକ୍ତ ସଂସ୍ଥାର ପିଛିଲା ରେକର୍ଡ ଯାଞ୍ଚ କରାଯାଇଛି କି ନାହିଁ ସେ ନେଇ ଜଣାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ବିହାର ଦୁଷ୍କର୍ମ ଘଟଣାରେ ଦିଲ୍ଲୀ ମହିଳା ଆୟୋଗ ପକ୍ଷରୁ ହୋଇଥିବା ଏକ ପିଟିସନ୍‌କୁ ସର୍ବୋଚ୍ଚ ଅଦାଲତ ଆଜି ଖାରଜ କରିବା ସହିତ ବର୍ଷିଛନ୍ତି। ବିହାର ଘଟଣାରେ ହସ୍ତକ୍ଷେପ କରିବା ଆବଶ୍ୟକ ନାହିଁ। ଏହା ତୁମର ବ୍ୟାପାର ନୁହେଁ ବୋଲି ଖଣ୍ଡପୀଠ କହିବା ସହିତ ପିଟିସନ୍‌କୁ ଖାରଜ କରିଦେଇଛନ୍ତି। ବିହାର ଘଟଣାରେ ନ୍ୟାୟମିତ୍ର ଭାବେ ନିଯୁକ୍ତି ପାଇଥିବା ଅପର୍ଣ୍ଣା ଭଟ୍ଟ ଖଣ୍ଡପୀଠଙ୍କୁ ଜଣାଇଥିଲେ କି ମୁଜାଫରପୁର ଆଶ୍ରୟସ୍ଥଳର ପୀଡ଼ିତା ନାବାଳିକାମାନଙ୍କୁ ଏଯାବତ୍‌ କୌଣସି କ୍ଷତିପୂରଣ ଦିଆଯାଇ ନାହିଁ। ସେହିଭଳି ମୁଜାଫରପୁର ଭଳି ବିହାରରେ ୧୫ଟି ଆହୁରି ଆଶ୍ରୟସ୍ଥଳ ରହିଥିବା ନେଇ କୋର୍ଟଙ୍କୁ ଅବଗତ କରାଯିବା ସହିତ ଏଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସୂଚନା ଦିଆଯାଇଥିଲା।
ଉଲ୍ଲେଖଯୋଗ୍ୟ, ମୁଜାଫରପୁର ଆଶ୍ରୟସ୍ଥଳରେ ମୋଟ ୪୨ ନାବାଳିକାଙ୍କ ମଧ୍ୟରୁ ୩୪ ଜଣଙ୍କୁ ଦୀର୍ଘଦିନ ଧରି ଦୁଷ୍କର୍ମ କରାଯାଉଥିଲା। ଖାଦ୍ୟରେ ନିଶା ମିଶାଯାଇ ସେମାନଙ୍କୁ ଦୁଷ୍କର୍ମ କରାଯାଉଥିଲା। ଏହାଛଡ଼ା ମୁହଁ ନ ଖୋଲିବା ପାଇଁ ଶାରୀରିକ ନିର୍ଯାତନା ଦିଆଯିବା ସାଙ୍ଗକୁ ଅଧିକାଂଶ ସମୟରେ ଉପାସରେ ରଖାଯାଉଥିଲା। ତେବେ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌ ପକ୍ଷରୁ ଯାଞ୍ଚ କରାଯିବା ପରେ ଘଟଣାର ପର୍ଦାଫାସ ହୋଇଥିଲା। ଏବେ ସୁଦ୍ଧା ଘଟଣାରେ ୧୧ରୁ ଊର୍ଧ୍ୱ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର