ଝିଅକୁ ୟୁକ୍ରେନରୁ ଆଣିବା ପାଇଁ ନିବେଦନ କରିଥିଲେ ମା’, ପ୍ରତିଶ୍ରୁତି ଦେଇ ୩୭,୦୦୦ ଠକି ନେଲେ ସାଇବର ଠକ

ନୂଆଦିଲ୍ଲୀ: ଏବେ ସାରା ବିଶ୍ବରେ ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଚର୍ଚ୍ଚା। ଋଷ ଏବେ ଧୀରେ ଧୀରେ ୟୁକ୍ରେନର ଛାତିକୁ ଚିରି ଆଗକୁ ବଢ଼ୁଥିବା ବେଳେ ନିଜ ନିଜର ଦେଶକୁ ଫେରିବା ପାଇଁ ଅନାଇ ବସିଛନ୍ତି ବିଭିନ୍ନ ଦେଶର ଲକ୍ଷଲକ୍ଷ ନାଗରିକ। ପ୍ରାୟ ୨୦,୦୦୦ ‌ଭାରତୀୟ ୟୁକ୍ରେନର ଫସିରହିଥିବା ବେଳେ ଭାରତ ସରକାର ସେମାନଙ୍କୁ ଫେରାଇ ଆଣିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। ତେବେ ଏସମୟରେ ସାଇବର ଠକମାନେ ନିଜ ପିଲାମାନଙ୍କ ପାଇଁ ଚିନ୍ତିତ ଥିବା ମାତାପିତାଙ୍କ ଅବସ୍ଥାର ଫାଇଦା ଉଠାଉଥିବା ଦେଖାଯାଉଛି। ମଧ୍ୟପ୍ରଦେଶରେ ରହୁଥିବା ବୈଶାଳୀ ସାଇବର ଠକାମିର ଶିକାର ହୋଇଥିବା ଜଣାପଡ଼ିଛି।

ବୈଶାଳୀଙ୍କ ଅଭିଯୋଗ ମୁତବକ, ୟୁକ୍ରେନରେ ଫସିଥିବା ଝିଅକୁ ଫେରାଇ ଆଣିବାକୁ ସେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ଏହାକୁ ଦେଖିବା ପରେ ସାଇବର ଠକ ତାଙ୍କୁ ଫୋନ କରି ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟର କର୍ମଚାରୀ ବୋଲି କହିଥିଲେ। ଏହା ପରେ ବିମାନ ଟିକେଟ ପାଇଁ ୪୨,୦୦୦ଟଙ୍କା ଦେବାକୁ ଅଭିଯୁକ୍ତ ବୈଶାଳୀଙ୍କୁ କହିବା ପରେ କିଛି ନଭାବି ବୈଶାଳୀ ଠକ କହିଥିବା ବ୍ୟାଙ୍କ ଆକାଉଣ୍ଟକୁ ୪୨,୦୦୦ଟଙ୍କା ପଠାଇଦେଇଥିଲେ। ଟଙ୍କା ପଠାଇବା ପରେ କୌଣସି କଲ ବା ମେସେଜ ନଆସିବାରୁ ବୈଶାଳୀ କଲ୍ ଆସିଥିବା ନମ୍ବରକୁ ବାରମ୍ବାର ଫୋନ କରିଥିଲେ। ଏହାର କିଛି ସମୟରେ ଅଭିଯୁକ୍ତ ବୈଶାଳୀଙ୍କୁ ୫ହଜାର ଟଙ୍କା ସହ କିଛି ସ୍ଲିପ ପଠାଇଥିଲେ।

ତେବେ ବୈଶାଳୀ ଏନେଇ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତଜଣକ ଦିଲ୍ଲୀର ବାସିନ୍ଦା ବୋଲି ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର