ମିରଟ: ଗୁରୁବାର ସନ୍ଧ୍ୟାରେ ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ବିଲ୍ ଆଦାୟ କରିବା ପାଇଁ ବିଦ୍ୟୁତ୍ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ପରିବାର ଲୋକ ଅନ୍ୟମାନଙ୍କ ଦ୍ବାରା ନିସ୍ତୁକ ମାଡ଼ ମରାଇବା ସହ ସେମାନଙ୍କ ଉପରକୁ ଦୁଇଟି ବଡ଼ ପୋଷା କୁକୁର ଛାଡ଼ି ଦେଇଥିଲେ। ଏପରିକି ସେମାନଙ୍କୁ ଘଉଡ଼ାଇବା ପାଇଁ ବନ୍ଧୁକ ବାହାର କରିଥିବା ଅଭିଯୋଗ ହୋଇଛି।
କନିଷ୍ଠ ଯନ୍ତ୍ରୀ ଜ୍ୟୋତି ଭାସ୍କର ସିହ୍ନା, ଉପଖଣ୍ଡ ଅଧିକାରୀ ରୀନା, କର୍ମଚାରୀ ସୁଧୀର କୁମାର ଓ ମହମ୍ମଦ ଇକବାଲ, ଡ୍ରାଇଭର ମହମ୍ମଦ ଇର୍ଶାଦଙ୍କ ସମେତ ପଶ୍ଚିମାଞ୍ଚଳ ବିଦ୍ୟୁତ୍ ବିତରଣ ନିଗମ ଲିମିଟେଡ୍ (ପିଭିଭିଏନ୍ଏଲ୍)ର ଏକ ଟିମ୍ ସହରର ଜ୍ଞାନ ଲୋକ କଲୋନିରେ ଥିବା ରାଜେନ୍ଦ୍ର ଚୌଧୁରୀଙ୍କ ଘରକୁ ସାଢ଼େ ୩ ଲକ୍ଷ ଟଙ୍କାରୁ ଅଧିକ ବକେୟା ବିଲ୍ ଆଦାୟ କରିବାକୁ ଆସିଥିଲେ। ରାଜେନ୍ଦ୍ର, ତାଙ୍କ ପତ୍ନୀ କବିତା, ପୁଅ ବିଶାଲ ଓ ତାଙ୍କ ସାଙ୍ଗ କେବଳ ବିଲ୍ ଦେବାକୁ ମନା କରି ନ ଥିଲେ ବରଂ ସେମାନଙ୍କୁ ଲାଠିରେ ମାଡ଼ ମାରିବା ସହ ସେମାନଙ୍କ ଦୁଇଟି ଭୟଙ୍କର କୁକୁର- ଗୋଟିଏ ଜର୍ମାନ ଶେଫର୍ଡ ଓ ଗୋଟିଏ ଲାବ୍ରାଡୋରକୁ ଛାଡ଼ି ଦେଇଥିଲେ। ଉଭୟ ଲାଠିମାଡ଼ ଓ କୁକୁର ଆକ୍ରମଣରେ ଆହତ ହୋଇଥିବା ସିହ୍ନାଙ୍କୁ ରକ୍ଷା କରିବାକୁ ଯାଇ ସଂଘର୍ଷରେ ତାଙ୍କ ସହଯୋଗୀମାନେ ମଧ୍ୟ ଆହତ ହୋଇଥିଲେ। ସିହ୍ନା କହିଛନ୍ତି, ଏପରିକି ହାତରେ ବନ୍ଧୁକ ଧରି ସେମାନେ ଆମକୁ ପିଛା କରିଥିଲେ। ଏସ୍ପି (ସହର) ସୁରେନ୍ଦ୍ରନାଥ ତିୱାରୀ କହିଛନ୍ତି, ବୁଲନ୍ଦସହର ଥାନାରେ ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ପରିବାର ଲୋକ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଫେରାର ଥିବା ଅଭିଯୁକ୍ତମାନଙ୍କୁ ପୁଲିସ ଖୋଜୁଛି।