ମୁମ୍ବାଇ: ମହାରାଷ୍ଟ୍ରର ଅକୋଲାରେ କରୋନା ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଥିବା ପିତାଙ୍କ ମୃତଦେହକୁ ନେବାକୁ ପୁଅ ରୋକଠୋକ ମନା କରି ଦେଇଥିଲା। ନିଜକୁ କରୋନା ସଂକ୍ରମଣ ହୋଇ ନଯାଉ ଏହି କାରଣରୁ ପିତାଙ୍କ ମୁହଁକୁ ବି ଶେଷ ଥରକ ପାଇଁ ବି ଚାହିଁଲା ନାହିଁ ପୁଅ। ଏହି କଥା ଯେତେବେଳେ ସାମାଜିକ କର୍ମୀଙ୍କ ପାଖରେ ପହଞ୍ଚିଥିଲା ସେତେବେଳେ ସେମାନେ ଆସିି ମୃତକଙ୍କୁ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁଯାୟୀ ସଂସ୍କାର କରିଥିଲେ।

ସ୍ବାସ୍ଥ୍ୟ ଅଧିକାରୀ ପ୍ରଶାନ୍ତ ରାଜୁରକରଙ୍କ କହିବାନୁସାରେ, ଦୁଇଦିନ ପୂର୍ବରୁ ଜଣେ ବୃଦ୍ଧଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଇଥିଲା। ଲେଖାପଢ଼ା କରିବା ପରେ ପ୍ରଶାସନ ମୃତକଙ୍କ ଘର ଲୋକଙ୍କୁ ଖବର ଦେଇଥିଲା। କିନ୍ତୁ ବୃଦ୍ଧଙ୍କ ପରିବାରଲୋକ ମୃତଦେହ ନେବାକୁ ରାଜି ହୋଇ ନଥିଲେ। ବୃଦ୍ଧଙ୍କ ପୁଅ କରୋନା ଭୟରେ ବାପାକୁ ଶେଷ ଥର ପାଇଁ ଦେଖିବାକୁ ଆସିଲା ନାହିଁ କି ମୁହଁରେ ଟିକେ ନିଆଁ ଦେଲା ନାହିଁ। ଏଭଳି ଘଟଣା ବାସ୍ତବରେ ଏକ ଦୁଃଖଦ ଘଟଣା। ବୃଦ୍ଧଙ୍କ ସହିତ ଘଟିଥିବା ଏଭଳି ଘଟଣା କାହାରି ସହ ନଘଟୁ ବୋଲି ଇଶ୍ୱରଙ୍କ ନିକଟରେ ପ୍ରଶାନ୍ତ ପ୍ରାର୍ଥନା କରିଛନ୍ତି।

ମୃତକଙ୍କ ଘରେ ତାଙ୍କ ପତ୍ନୀ ଓ ପୁଅ ରହିଛନ୍ତି। ପୁଅ ନାଗପୁରରେ ରହୁଥିବା ବେଳେ ପିତାଙ୍କ ମୃତ୍ୟୁ ଖବର ପାଇବା ପରେ ସେ ଅକୋଲା ଚାଲି ଆସିଥିଲା। କରୋନା ସଂକ୍ରମଣ ଭୟରେ ପିତାଙ୍କ ଅନ୍ତିମ ସଂସ୍କାର କରି ପାରିବ ନାହିଁ ବୋଲି ମନା କରି ଦେଇଥିଲା ପୁଅ। ଏହି ଘଟଣା ସମ୍ପର୍କରେ କରୋନା ରୋଗୀଙ୍କ ଚିକିତ୍ସା ଓ ଅନ୍ତିମ ସଂସ୍କାର କାମ କରୁଥିବା ସାମାଜିକ କର୍ମୀ ଜାଭେଦ ଜକାରିଆଙ୍କ କାନରେ ପଡ଼ିଥିଲା । ସେ ଏହି ବୃଦ୍ଧଙ୍କ ଅନ୍ତିମ ସଂସ୍କାର ପୂରାପୂରି ହିନ୍ଦୁ ରୀତିନୀତିରେ କରିଥିଲେ।