ସାବାସ ସରକାରୀ ସ୍କୁଲ: ଗୁଆ ବିକ୍ରି ଟଙ୍କାରୁ ଛାତ୍ରଛାତ୍ରୀଙ୍କ ପାଇଁ କିଣାଗଲା ବସ

ଶିକ୍ଷକଙ୍କ ସହ ଗ୍ରାମବାସୀ ଲଗାଇଥିଲେ ଗଛ

ବାଙ୍ଗାଲୋର(ବୋୖଦ୍ଧାୟନ ଆଚାର୍ଯ୍ୟ) : ସ୍କୁଲ ହେବ ତ ଏମିତି | ନା ସରକାରଙ୍କ ପାଖରୁ ଟଙ୍କା ଆଣିଲେ ନା କୌଣସି ନେତାଙ୍କ ପାଖରୁ ଅନୁଦାନ ନେଲେ | କିନ୍ତୁ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଅବିସ୍ମରଣୀୟ କାର୍ଯ୍ୟଟିଏ କଲେ | ଦକ୍ଷିଣ କନ୍ନଡ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟ ନିଜ ଜମିରେ ଲଗାଇଥିବା ଗୁଆ ଗଛରୁ ଏକ ସ୍କୁଲ ବସ କିଣିଛି | କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ ସତ | ଗୁଆ ବିକ୍ରୟରୁ ଅର୍ଜିତ ରାଜସ୍ୱରୁ ଏହି ବସ୍ କିଣାଯାଇଛି । ମିଳିଥିବା ସୂଚନା ମୁତାବକ ଏହି ବିଦ୍ୟାଳୟର ୪.୧୫ ଏକର ଜମି ଥିବାବେଳେ ବିଦ୍ୟାଳୟ ବିକାଶ ଏବଂ ମନିଟରିଂ କମିଟି, ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଗ୍ରାମବାସୀ ୨୦୧୭ରେ ୬୨୮ଟି ଗୁଆ ଚାରା ରୋପଣ କରିଥିଲେ । ଆଉ ଗତ ବର୍ଷ ଠାରୁ ଗୁଆ ଫଳିବା ​​ଆରମ୍ଭ ହୋଇଥିଲା | ବିଦ୍ୟାଳୟ ଏଥିରୁ ବାର୍ଷିକ ୨.୫୦ ଲକ୍ଷ ଟଙ୍କା ରୋଜଗାର କରିଥାଏ |

ଆଉ ଏହି ଗଛ ଲଗେଇବା ଅଭିଯାନର ନେତୃତ୍ୱ ନେଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଏ.ସରୋଜ କହିଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କୁ ଦୂର ସ୍ଥାନରୁ ଆଣିବା ପାଇଁ ୫ ଲକ୍ଷ ଟଙ୍କା ମୂଲ୍ୟର ୨୬ ସିଟ୍ ବିଶିଷ୍ଟ ବସ୍ କିଣାଯାଇଛି । ସେ କହିଛନ୍ତି ଯେ ବିଦ୍ୟାଳୟରେ ୧୧୮ ପିଲା ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ପରିବାରର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକ ଦୁର୍ଗମ ଅଞ୍ଚଳରୁ ପ୍ରତିଦିନ ଚାଲିଚାଲି ଆସନ୍ତି | ଆଉ ସେହି ଛାତ୍ରଛାତ୍ରୀମାନେ କିଭଳି ସୁରକ୍ଷିତ ଭାବେ ଠିକ ସମୟରେ ବିଦ୍ୟାଳୟରେ ପହଞ୍ଚିବେ ସେନେଇ ବିଦ୍ୟାଳୟ କମିଟି ସହ ଆଲୋଚନା କରାଯାଇଥିଲା |

ଏହାପରେ ସ୍କୁଲ ଜମିରେ ଲଗାଯାଇଥିବା ଗୁଆ ଗଛର ଗୁଆ ବିକ୍ରି କରି ପିଲାମାନଙ୍କ ପାଇଁ ବସ କିଣାଯାଇଛି | ଏହି ବସ୍ ଦ୍ୱାରା ସେମାନେ ଲାଭ ପାଇବେ | ତେବେ ବଡ କଥା ଯେ ଏହି ବସ ପାଇଁ ଆବଶ୍ୟକ ଇନ୍ଧନ ଓ ରକ୍ଷଣାବେକ୍ଷଣ ମଧ୍ୟ ଏହି ଗୁଆ ବିକ୍ରିରୁ ଭରଣା କରାଯିବ, ଆଉ କୌଣସି ଛାତ୍ରଛାତ୍ରୀଙ୍କ ପାଖରୁ ଟଙ୍କାଟିଏ ନିଆଯିବ ନାହିଁ | ଉଲ୍ଲେଖ ଥାଉ କି ଗୁଆ ଗଛଗୁଡିକ ନଡ଼ିଆ ଗଛ ପରି ୫୦ ରୁ ୬୦ ଫୁଟ ଉଚ୍ଚ ହୋଇଥାଏ | ଏହା ୫ ରୁ ୮ ବର୍ଷ ମଧ୍ୟରେ ଫଳ ଦେବା ଆରମ୍ଭ କରେ | ଥରେ ଫଳ ଫଳିବା ଆରମ୍ଭ ହୋଇଗଲେ, ଆପଣ ୭୦ ବର୍ଷ ପାଇଁ କ୍ରମାଗତ ଭାବରେ ଲାଭ ଉପାର୍ଜନ କରିପାରିବେ |

ସମ୍ବନ୍ଧିତ ଖବର