ସ୍କୁଲ୍‌ ଶିକ୍ଷାରେ ପ୍ରଥମ ୧୦ ସ୍ଥାନରେ ଓଡ଼ିଶା ନାହିଁ : କେରଳ ପ୍ରଥମ, ରାଜସ୍ଥାନ ଦ୍ବିତୀୟ, କର୍ଣ୍ଣାଟକ ତୃତୀୟ, ଦ୍ବାଦଶ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ : ସ୍କୁଲ ଶିକ୍ଷାର ଗୁଣବତ୍ତାରେ ଓଡ଼ିଶା ଦେଶରେ ଦ୍ବାଦଶ ସ୍ଥାନରେ ରହିଛି। ପ୍ରଥମଥର ପାଇଁ ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସ୍କୁଲ ଶିକ୍ଷା ଗୁଣବତ୍ତା ସୂଚକାଙ୍କ (ସ୍କୁଲ ଏଜୁକେସନ କ୍ବାଲିଟି ଇଣ୍ଡେକ୍ସ)ରେ ଓଡ଼ିଶା ପ୍ରଥମ ୧୦ ରାଜ୍ୟ ମଧ୍ୟରେ ସାମିଲ ହୋଇପାରିନାହିଁ। ଉତ୍ତରପ୍ରଦେଶ, ବିହାର ଭଳି ବଡ଼ ରାଜ୍ୟମାନଙ୍କଠାରୁ ଓଡ଼ିଶାର ପ୍ରଦର୍ଶନ ସନ୍ତୋଷଜନକ ରହିଥିବା ଜଣାପଡ଼ିଛି। ସ୍କୁଲ ଶିକ୍ଷା ଗୁଣବତ୍ତା ସୂଚକାଙ୍କ ରିପୋର୍ଟକୁ ଖୁବ୍‌ଶୀଘ୍ର ସାର୍ବଜନୀନ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ନିତି ଆୟୋଗ ପକ୍ଷରୁ ସ୍କୁଲ ଶିକ୍ଷା ଗୁଣବତ୍ତା ସୂଚକାଙ୍କ ନାମରେ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି, ସେଥିରେ ୨୦ଟି ବଡ଼ ରାଜ୍ୟ ଓ ୮ଟି ଛୋଟ ରାଜ୍ୟମାନଙ୍କୁ ରୢାଙ୍କିଂ କରାଯାଇଛି। ଓଡ଼ିଶା ସମେତ କେରଳ, ରାଜସ୍ଥାନ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ଆସାମ, ମହାରାଷ୍ଟ୍ର, ତାମିଲନାଡୁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଛତିଶଗଡ଼, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପଞ୍ଜାବ, ଜମ୍ମୁ-କଶ୍ମୀର, ଉତ୍ତରପ୍ରଦେଶ ୨୦ଟି ବଡ଼ ରାଜ୍ୟ ତାଲିକାରେ ସାମିଲ ଥିବାବେଳେ ଛୋଟ ରାଜ୍ୟ ତାଲିକାରେ ମଣିପୁର, ତ୍ରିପୁରା, ଗୋଆ, ମିଜୋରାମ, ନାଗାଲାଣ୍ଡ୍‌, ସିକ୍କିମ୍, ମେଘାଳୟ ଓ ଅରୁଣାଚଳ ପ୍ରଦେଶକୁ ସାମିଲ କରାଯାଇଛି।

ସ୍କୁଲ ଶିକ୍ଷାର ଗୁଣବତ୍ତା ସୂଚକାଙ୍କରେ କେରଳ ପ୍ରଥମ ସ୍ଥାନରେ ଥିବାବେଳେ ରାଜସ୍ଥାନ ଦ୍ବିତୀୟ, କର୍ଣ୍ଣାଟକ ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାର ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଚତୁର୍ଥ ସ୍ଥାନରେ ରହିଥିବାବେଳେ, ଛତିଶଗଡ଼ ତ୍ରୟୋଦଶ ଓ ତେଲେଙ୍ଗାନା ଚତୁର୍ଦ୍ଦଶ ସ୍ଥାନରେ ରହିଛି। ୨୦ଟି ବଡ଼ ରାଜ୍ୟମାନଙ୍କ ମଧ୍ୟରୁ ଯେଉଁମାନଙ୍କର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି, ସେଥିରେ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପଞ୍ଜାବ, ଜମ୍ମୁ-କଶ୍ମୀର ଏବଂ ଉତ୍ତରପ୍ରଦେଶ ରାଜ୍ୟ ସାମିଲ ଅଛି। ନିତି ଆୟୋଗ ଦ୍ବାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଅନ୍ୟ ଏକ ବଡ଼ ରାଜ୍ୟ ପଶ୍ଚିମବଙ୍ଗ ସାମିଲ ହୋଇନଥିବା ଜଣାପଡ଼ିଛି।

ନିତି ଆୟୋଗ ଦ୍ବାରା ପ୍ରସ୍ତୁତ ସ୍କୁଲ ଶିକ୍ଷାର ଗୁଣବତ୍ତା ସୂଚକାଙ୍କରେ ରାଜ୍ୟମାନଙ୍କର ୨୦୧୭-୧୮ର ଡାଟା ଅନୁସାରେ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ଲର୍ଣ୍ଣିଂ ଆଉଟକମ୍ ଆଧାରରେ ମୂଲ୍ୟାଙ୍କନ କରାଯାଇଛି। ୩୦ଟି ବିଭିନ୍ନ ପ୍ରକାରର ସୂଚକାଙ୍କ ସହିତ ୬ଟି ମାନଦଣ୍ଡକୁ ସାମିଲ କରାଯାଇ ରିପୋର୍ଟ ଚୂଡ଼ାନ୍ତ କରାଯାଇଛି। ଶିକ୍ଷାର ଗୁଣବତ୍ତା, ଶିକ୍ଷା ପର୍ଯ୍ୟନ୍ତ ପହଞ୍ଚିବା, ଛାତ୍ରଛାତ୍ରୀମାନେ ଗ୍ରହଣ କରିଥିବା ଶିକ୍ଷାର ସ୍ତର, ସ୍କୁଲ୍‌ରେ କିଭଳି ଭାବେ ଶିକ୍ଷା ଦିଆଯାଉଛି, ଶିକ୍ଷା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ପ୍ରଶାସନ ଭଳି ମାନଦଣ୍ଡ ରୢାଙ୍କିଂ ପାଇଁ ନିର୍ଦ୍ଧାରଣ କରାଯାଇଛି। ସୂଚକାଙ୍କ ପ୍ରସ୍ତୁତ କରିବା ପୂର୍ବରୁ ନିତି ଆୟୋଗ ଦ୍ବାରା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସମସ୍ତ ରାଜ୍ୟ, ନୀତି ନିର୍ଦ୍ଧାରକ, ବିଶ୍ବବ୍ୟାଙ୍କ୍‌ କର୍ତ୍ତୃପକ୍ଷ, ଶିକ୍ଷା ବିଶେଷଜ୍ଞ ମାନଙ୍କ ଦ୍ବାରା ବିଭିନ୍ନ ପର୍ଯ୍ୟାୟରେ ବିଚାରବିମର୍ଶ କରାଯାଇ ରିପୋର୍ଟକୁ ଚୂଡ଼ାନ୍ତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର