ଥିରୁବନ୍ତପୁରମ୍‌ (କେରଳ): ଏକ କ୍ୟାଥୋଲିକ୍‌ ଚର୍ଚ୍ଚର ଫାଦରଙ୍କ ବିରୋଧରେ ଆଗତ ଏକ ଦୁଷ୍କର୍ମ ଅପରାଧର ଶୁଣାଣି କେରଳର ଏକ ଅଦାଲତରେ ଚାଲିଥିବା ବେଳେ ହଠାତ୍‌ ନାବାଳିକା ପୀଡ଼ିତା ଜଣକ ହଠାତ୍‌ ୟୁ-ଟର୍ଣ୍ଣ ନେଇ ନିଜର ପୂର୍ବ ବୟାନକୁ ବଦଳାଇ ଅଦାଲତରେ ଓଲଟା ବୟାନ ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

Advertisment

ହସ୍ତଗତ ହୋଇଥିବା ଖବରର ବିବରଣୀରୁ ପ୍ରକାଶ କେରଳର ଏକ କ୍ୟାଥୋଲିକ୍‌ ଚର୍ଚ୍ଚର ଫାଦରଙ୍କ ବିରୋଧରେ ଆଗତ ହୋଇଥିବା ଏକ ଦୁଷ୍କର୍ମ ଅପରାଧର ଶୁଣାଣି ଥାଲାସେରିର ଏକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ ଅଦାଲତରେ ଗତ ବୁଧବାର ଦିନ ଆରମ୍ଭ ହୋଇଥିଲା। ତେବେ, ପୂର୍ବରୁ ପୁଲିସ୍‌ ନିକଟରେ ଫାଦରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଗତ କରିଥିବା ପୀଡ଼ିତା ଜଣକ ଶୁଣାଣିର ପ୍ରଥମ ଦିନରେ ପୂର୍ବରୁ ପୁଲିସ୍‌କୁ ଦେଇଥିବା ବୟାନକୁ ବଦଳାଇ ଦେଇ ବିଚାରପତିଙ୍କ ସମ୍ମୁଖରେ ପୂରା ଓଲଟା ବୟାନ ଦେବା ଘଟଣା ବିଚାରପତିଙ୍କ ସମେତ ଅଦାଲତରେ ଉପସ୍ଥିତ ସମସ୍ତଙ୍କୁ ଆଶଚର୍ଯ୍ୟ ଚକିତ କରିଛି।

ପୂର୍ବରୁ ଫାଦରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ପୀଡ଼ିତା ଜଣକ ଅଦାଲତରେ ନିଜ ପୂର୍ବ ବୟାନକୁ ବଦଳାଇ ବିଚାରପତିଙ୍କୁ କହିଛି ଯେ ଫାଦର ରବିନ୍‌ ଭାଡ଼ାକୁମୁଚେରି ତାକୁ କେବେ ବି ଦୁଷ୍କର୍ମ କରି ନାହାନ୍ତି। ପୀଡ଼ିତାଙ୍କ ସହମତି ଭିତ୍ତିରେ ଫାଦର ତା’ ସହ ଯୌନ ସଂପର୍କ ସ୍ଥାପନ କରିଛନ୍ତି। ଏଥିସହ ପୀଡ଼ିତା ଅଦାଲତଙ୍କୁ କହିଛି ଯେ ନିଲମ୍ବିତ ହୋଇଥିବା ଫାଦର ରବିନ୍‌ ହେଉଛନ୍ତି ତା’ ସନ୍ତାନର ପିତା ଏବଂ ସେ ଫାଦର ରବିନ୍‌ଙ୍କ ସହ ଏକ ପାରିବାରିକ ଜୀବନ ବିତାଇବାକୁ ଚାହୁଁଛି।

publive-image

ଏଥିସହ ପୀଡ଼ିତା ଅଦାଲତଙ୍କୁ କହିଛି ଯେ ପୂର୍ବରୁ ପୁଲିସ୍‌ ସମ୍ମୁଖରେ ଓ ସିଆରପିସିର ୧୬୪ ଧାରରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଯେଉଁ ବୟାନ ଦେଇଥିଲା, ତାହା ସେ ଚାପର ବଶବର୍ତ୍ତୀ ହୋଇ ଦେଇଥିଲା। ଏହାସହ ବର୍ତ୍ତମାନ ସ୍କୁଲ ଛାତ୍ରୀ ଥିବା ପୀଡ଼ିତା ଜଣକ ଅଦାଲତଙ୍କୁ କହିଛି ଯେ ସେ ଯେଉଁ ସମୟରେ ଫାଦର ରବିନ୍‌ଙ୍କ ସହ ଯୌନ ସଂପର୍କ ସ୍ଥାପନ କରିଥିଲା, ସେ ସମୟକୁ ସେ ସାବାଳିକା ହୋଇ ଯାଇଥିଲା।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହି ଘଟଣା ଘଟିଥିଲା ଗତ ୨୦୧୬ରେ। ପୀଡ଼ିତା ଜଣକ ସେଣ୍ଟ ସେବାଷ୍ଟେନ୍‌ ଚର୍ଚ୍ଚ ସ୍କୁଲରେ ସପ୍ତମ ଶ୍ରେଣୀର ଛାତ୍ରୀ ଥିବା କାଳରେ ସେଠାରେ ମ୍ୟାନେଜର ଥିବା ଫାଦର ରବିନ୍‌ ତାକୁ ଦୁଷ୍କର୍ମ କରିବା ସହ ଗର୍ଭବତୀ କରି ଦେଇଥିଲେ। ୨୦୧୭ରେ ଫାଦରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ପୀଡ଼ିତା ଜଣକ ଏକ ଶିଶୁ ସନ୍ତାନକୁ ଜନ୍ମ ଦେବାପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା।