ଶିକ୍ଷକଙ୍କୁ ଛାତ୍ରୀର ନାମ ଉଚ୍ଚାରଣରେ କଷ୍ଟ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ବଦଳାଇଦେଲେ ନାମ

ନୂଆଦିଲ୍ଲୀ: ନାମ ଉଚ୍ଚାରଣରେ କଷ୍ଟ ହେବାରୁ ବିନା ଅଭିଭାବକଙ୍କ ପରାମର୍ଶରେ ଛାତ୍ରୀର ନାମକୁ ବଦଳାଇଦେଲେ ସ୍କୁଲ କର୍ତ୍ତୃପକ୍ଷ | ନ୍ୟୁଜିଲାଣ୍ଡର ୱଏଲିଂଟନରେ ଏଭଳି ଏକ ଘଟଣା ଘଟିଛି | ଆଉ ଶିଶୁର ନାମ ପରିବର୍ତ୍ତନ ପରେ ଏହାକୁ ନେଇ ଛାତ୍ରୀର ମା କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ମିଳିଥିବା ସୂଚନା ମୁତାବକ ନ୍ୟୁଜିଲ୍ୟାଣ୍ଡର ଏକ ସ୍କୁଲ କର୍ତ୍ତୃପକ୍ଷ ଝିଅର ନାମ ଉଚ୍ଚାରଣରେ କଷ୍ଟ ଅନୁଭବ କରିବାରୁ ତାହାର ନାମକୁ ସ୍ୱତଃ ବଦଳାଇଦେଇଛନ୍ତି | ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା କଥା ଯେ, ଝିଅଟିର ନାମ ଉଚ୍ଚାରଣ କରିବାକୁ ଶିକ୍ଷକମାନେ କଷ୍ଟ ଅନୁଭବ କରିବାରୁ ଛାତ୍ରୀର ନାମ ପରିବର୍ତ୍ତନ କରିବାକୁ ପଡ଼ିଲା |

ଯେଉଁ ଝିଅର ନାମ ବଦଳାଯାଇଛି ତାହାର ବୟସ ମାତ୍ର ୫ ବର୍ଷ ହୋଇଥିବା ବେଳେ ବାପା-ମା ‘ମହିନାରାଙ୍ଗି ଟାଉଟୁ’ ରଖିଥିଲେ | ଆଉ ଏହି ନାମ ଉଚ୍ଚାରଣ କରିବାକୁ ସ୍କୁଲ ଶିକ୍ଷକଙ୍କୁ କଷ୍ଟ ହେବାରୁ ସେ ଏବାବଦରେ ଜଣାଇଥିଲେ | ଆଉ ସ୍କୁଲ ମ୍ୟାନେଜମେଣ୍ଟ ଶିଶୁର ଅଭିଭାବକଙ୍କୁ ନ ପଚାରି ବଦଳାଇ ଦେଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ଝିଅର ନାମ ‘ମହିନାରାଙ୍ଗି ଟାଉଟୁ’ରୁ କେବଳ ରଙ୍ଗୀ କରିଦେଇଥିଲେ |

ଏ ବାବଦରେ ଜାଣିବା ପରେ ଶିଶୁର ମା ପ୍ୟାରିସ, ଏହି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି | ସେ କହିଛନ୍ତି ଯେ ତାଙ୍କ ଶିଶୁ କନ୍ୟାର ନାମ ନ୍ୟୁଜିଲ୍ୟାଣ୍ଡର ମାଓରୀ ଜନଜାତିର ଏକ ପ୍ରତୀକ ହୋଇଥିବାବେଳେ ଝିଅଟିର ନାମର ପ୍ରକୃତ ଅର୍ଥ ହେଉଛି ‘ଆକାଶରେ ଚନ୍ଦ୍ର’। ଆଉ ନାମ ପରିବର୍ତ୍ତନ ପରେ ପ୍ୟାରିସ ସ୍କୁଲ ବିରୋଧରେ ସୋସିଆଲ ମିଡିଆରେ ଖୁବ ବର୍ଷିଛନ୍ତି |

ସମ୍ବନ୍ଧିତ ଖବର