ହୋମୱାର୍କ କରିନଥିବାରୁ ଛାତ୍ରଙ୍କୁ ପିଟି ପିଟି ମାରିଦେଲେ ସ୍କୁଲ ପରିଚାଳକ

ପାଟନା: ଶ୍ରେଣୀରେ ଶିକ୍ଷକ ଦେଇଥିବା ହୋମୱାର୍କ କରିନଥିବାରୁ ଛାତ୍ରଙ୍କୁ ପିଟି ପିଟି ମାରିଦେଲେ ସ୍କୁଲ ପରିଚାଳକ | ବିହାରର ସହରସାଠାରେ ଜଣେ ସାତ ବର୍ଷର ଶିଶୁଙ୍କୁ ହୋମୱାର୍କ କରିନଥିବାରୁ ସ୍କୁଲ ପରିଚାଳକ ତାଙ୍କୁ ଏତେ ମାଡ ମାରିଥିଲେ ତାଙ୍କର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି । ଏହି ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଅଛନ୍ତି । ଏହି ମାମଲା ସହରସା ଜିଲ୍ଲାର ହୁସେନଚକ ଅଞ୍ଚଳରେ ଘଟିଛି । ହୁସେନଚକରେ ବୋଧି ପବ୍ଲିକ୍ ସ୍କୁଲ ନାମରେ ଏକ ବିଦ୍ୟାଳୟ ଥିବାବେଳେ ଏଠାରେ ନର୍ସରୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଏ | ଏହି ସ୍କୁଲରେ ହଷ୍ଟେଲ ଥିବାବେଳେ ୭ ବର୍ଷର ଆଦିତ୍ୟ ଏଠାରେ ରହି ପାଠ ପଢୁଥିଲେ | ତେବେ ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା |

ଆଦିତ୍ୟ ବୋଧି ପବ୍ଲିକ୍ ସ୍କୁଲରେ ଏଲକେଜିର ଛାତ୍ର ଥିବାବେଳେ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଆଦିତ୍ୟଙ୍କ ବନ୍ଧୁ ଶିବମ କହିଛନ୍ତି ଯେ ବୁଧବାର ଦିନ ରାତିରେ ସ୍କୁଲ ପରିଚାଳକ ଆସି ଆଦିତ୍ୟଙ୍କୁ ହୋମୱାର୍କ କରିନଥିବାରୁ ବାଡ଼ିରେ ପିଟିଥିଲେ। ଆଉ ସକାଳୁ ଯେତେବେଳେ ସେ ଆଦିତ୍ୟଙ୍କୁ ଉଠାଇଥିଲେ, ସେ ଆଉ ଉଠିନଥିଲେ | ଏହି ଘଟଣା ପରେ ଅଭିଯୁକ୍ତ ସ୍କୁଲ ପରିଚାଳକ ଜଣକ ଆଦିତ୍ୟଙ୍କ ବାପାଙ୍କୁ ଫୋନ କରି ପୁଅ ବେହୋସ ହୋଇଯାଇଛି, ଡାକ୍ତରଖାନାକୁ ତୁରନ୍ତ ଆସନ୍ତୁ ବୋଲି ଜଣାଇଥିଲେ | ଏଖବର ପାଇବା ପରେ ଆଦିତ୍ୟଙ୍କ ବାପା ଓ ପରିବାର ସଦସ୍ୟ ତୁରନ୍ତ ମେଡିକାଲରେ ପହଞ୍ଚିବା ପୂର୍ବରୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ପିଲାଟିର ମୃତ୍ୟୁ ପରଠାରୁ ସ୍କୁଲ ପରିଚାଳକ ସୁଜିତ କୁମାର ଫେରାର ଥିବାବେଳେ ଏବେ ଆଦିତ୍ୟଙ୍କ ପିତା ପ୍ରକାଶ ଯାଦବ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର