ଶ୍ରୀନଗର: ଦୀର୍ଘଦିନ ପରେ ଆଜି କଶ୍ମୀରରେ ସ୍କୁଲ ଖୋଲିଛି। କଟକଣାକୁ କୋହଳ କରାଯିବା ପରେ ସ୍କୁଲ ଗୁଡ଼ିକ ଖୋଲିଥିଲେ ମଧ୍ୟ ଭୟରେ ପିଲା ସ୍କୁଲକୁ ଆସିନାହାନ୍ତି। ଫଳରେ ସ୍କୁଲ ଗୁଡ଼ିକରେ ଆଜି ପତଳା ଉପସ୍ଥାନ ଦେଖିବାକୁ ମିଳିଛି। ସରକାରୀ ଅଧିକାରୀଙ୍କ କହିବାନୁୟାୟୀ, ଶ୍ରୀନଗରର ସହରରେ ୧୯୦ଟି ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ଆବଶ୍ୟକ ବନ୍ଦୋବସ୍ଥ କରାଯାଇଛି। ଉପତ୍ୟକାର ଅଧିକାଂଶ ସ୍ଥାନରେ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ ଅଛନ୍ତି। ତେବେ ସହରରେ ସମସ୍ତ ଘରୋଇ ସ୍କୁଲ ଆଜି ସୁଦ୍ଧା ଲଗାତାର ୧୫ ଦିନ ହେଲା ବନ୍ଦ ରହିଛି। ଗତ ଦୁଇଦିନ ହେଲା କଶ୍ମୀରରେ ହିଂସା ଦେଖାଦେଇଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ପଠାଉନାହାନ୍ତି। କେବଳ ବେମିନାର ପୁଲିସ ପବ୍ଲିକ ସ୍କୁଲ ଏବଂ କେତେକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଥିବାବେଳେ ସେଗୁଡ଼ିକରେ ଅଳ୍ପ ସଂଖ୍ୟକ ଛାତ୍ର ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ମହାରାଜାପୁରାର ଜଣେ ଅଭିଭାବକ ଅବଦୁଲ ଅଜିଜ୍ କହିଛନ୍ତି, ସ୍ଥିତି ସ୍ବାଭାବିକ ନଥିବାରୁ ମୁଁ ମୋ ପିଲାକୁ ସ୍କୁଲ ପଠାଇବା ପାଇଁ ରିସ୍କ ନେଇପାରିବି ନାହିଁ। ସେହିଭଳି ଫାରୁକ ଅହମ୍ମଦ ଦର ନାମକ ଅନ୍ୟ ଜଣେ ଅଭିଭାବକ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଏଭଳି ଅନିଶ୍ଚିତ ଅଛି ଯାହାଦ୍ବାରା ପିଲାଙ୍କୁ ସ୍କୁଲ ପଠାଇବାର ପ୍ରଶ୍ନ ଉଠୁନାହିଁ।
ବାରମୁଳା ଜିଲ୍ଲାର ଅଧିକାରୀଙ୍କ କହିବାନୁଯାୟୀ, ଜିଲ୍ଲାର ୫ଟି ସହରରେ ସ୍କୁଲ ବନ୍ଦ ରହିଛି। ଜିଲ୍ଲାର ଅନ୍ୟ ସ୍ଥାନରେ ସ୍କୁଲ ଗୁଡ଼ିକ ଖୋଲା ରହିଛି। ପଟାନ, ପଲହାଲନ, ସିଂହପୁରା, ବାରମୁଳା ଏବଂ ସୋପୋର ସହରରେ କଟକଣା କୋହଳ କରାଯାଇ ନାହିଁ। ଅନ୍ୟ ସହର ଗୁଡ଼ିକରେ ସ୍କୁଲ ଗୁଡ଼ିକ ଖୋଲା ରହିଛି। ସ୍କୁଲ ଗୁଡ଼ିକୁ କେତେ ପିଲା ଆସିଛନ୍ତି ତାହାର ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ଶ୍ରୀନଗରର ଜଣେ ବରିଷ୍ଠ ଜିଲ୍ଲାସ୍ତରୀୟ ଅଧିକାରୀ କହିଛନ୍ତି, ସହରର ପାଶ୍ବବର୍ତ୍ତୀ ଅଞ୍ଚଳରେ କିଛି ସ୍କୁଲ ଖୋଲାଥିଲା। କିନ୍ତୁ ପୁରୁଣା ସହର ଏବଂ ସିଭିଲ ଲାଇନ ଅଞ୍ଚଳରେ ଗତ ଦୁଇଦିନ ହେଲା ହିଂସାତ୍ମକ ପରିସ୍ଥିତି ଦେଖାଦେଇଥିବାରୁ ସ୍କୁଲ ଗୁଡ଼ିକ ସେଠାରେ ବନ୍ଦ ରହିଛି। ସରକାରୀ କର୍ତ୍ତୃପକ୍ଷ ସୋମବାରଠାରୁ ସବୁ ପ୍ରାଥମିକ ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଖୋଲିବା ଲାଗି ଯୋଜନା କରିଥିଲେ। ଶ୍ରୀନଗରର ସହରର ଯେଉଁସବୁ ସ୍ଥାନରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ସେଠାରୁ ବ୍ୟାରିକେଡ୍ ହଟାଇ ଦିଆଯାଇଛି। ଉପତ୍ୟକାରେ ସରକାରୀ ପରିବହନ ବ୍ୟବସ୍ଥା ବନ୍ଦ ଥିବାବେଳେ ଘରୋଇ ଗାଡ଼ି ଚଳାଚଳ ବଢ଼ିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, କଶ୍ମୀର ଉପତ୍ୟକାରେ ଦୁଇ ତୃତୀୟାଂଶ ଲାଣ୍ଡଲାଇନକୁ ସଚଳ କରାଯାଇଛି। ଖୁବଶୀଘ୍ର ସବୁ ଲ୍ୟାଣ୍ଡଲାଇନକୁ ସଚଳ କରାଯିବ ବୋଲି କୁହାଯାଇଛି। ସୁରକ୍ଷା ସ୍ଥିତି ଅନୁଧ୍ୟାନ କରାଯିବା ପରେ ମୋବାଇଲ ଇଣ୍ଟରନେଟ୍ ସେବାକୁ ଉପଲବ୍ଧ କରାଯିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ସମେତ ଶତାଧିକ ରାଜନେତାଙ୍କୁ ହେପାଜତରେ ରଖାଯାଇଛି।