ଆମେରିକା ସ୍କୁଲରେ ଗୁଳିକାଣ୍ଡ, ଛୋଟ ପିଲା ମୃତାହତ ହୋଇଥିବା ସୂଚନା

ନ୍ୟୁୟର୍କ : ଆମେରିକା ସ୍କୁଲରେ ପୁଣି ଗୁଳିକାଣ୍ଡ ଘଟିଛି । ସୋମବାର ନେସଭିଲ ସହରର ଏକ ପ୍ରାଥମିକ ବିଦ୍ୟାଳୟରେ ଜଣେ ବ୍ୟକ୍ତି ଗୁଳି ଚଳାଇବାରୁ କିଛି ପିଲାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣକାରୀକୁ ଗୁଳି କରି ନିପାତ କରିଛି ।

ନେସଭିଲରେ ଥିବା ଏକ କନଭେଣ୍ଟ ସ୍କୁଲ ମୁଖ୍ୟତଃ ଏକ ଘରୋଇ ଖ୍ରୀଷ୍ଟିଆନ ପ୍ରାଥମିକ ସ୍କୁଲ । ଏଠାରେ ୬ ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏଣୁ ଏଠାରେ ପଢୁଥିବା ପିଲାମାନଙ୍କ ବୟସ ୧୧ ବର୍ଷରୁ କମ । ଏଣୁ ମୃତାହତ ହୋଇଥିବା ପିଲାମାନେ ଛୋଟ ପିଲା ହୋଇଥିବା ସଂଦେହ କରାଯାଉଛି । ଏହି ସ୍କୁଲରେ ମୋଟ ୨୦୦ ପିଲା ପଢନ୍ତି ।

ଘଟଣା ସଂପର୍କରେ ଜାଣିବା ପରେ ପିଲାମାନଙ୍କ ଅଭିଭାବକମାନେ ସ୍କୁଲରେ ପହଞ୍ଚିଛନ୍ତି । ତେବେ ସେମାନଙ୍କୁ ସ୍କୁଲ ବାହାରେ ଅଟକାଯାଇଛି । ପୁଲିସ ପକ୍ଷରୁ ସେମାନଙ୍କ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଛି ।

ଆମେରିକାରେ ସ୍କୁଲ ଗୁଳିକାଣ୍ଡ ଘଟଣା ନିୟମିତ ବ୍ୟାପାରରେ ପରିଣତ ହୋଇଯାଇଛି । ପ୍ରତି ବର୍ଷ ଏପରି ଘଟଣା ଘଟିଚାଲିଥିବାବେଳେ ନିରୀହ ପିଲାମାନେ ମୃତ୍ୟୁବରଣ କରୁଛନ୍ତି । ୨୦୨୩ରେ ମାର୍ଚ୍ଚ ୨୩ ସୁଦ୍ଧା ୧୨ଟି ସ୍କୁଲ ଗୁଳିକାଣ୍ଡ ହୋଇସାରିଲାଣି ।

ସମ୍ବନ୍ଧିତ ଖବର