୨୦୨୦-୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ପାଠ୍ୟକ୍ରମକୁ କମାଯାଇ ପ୍ରସ୍ତୁତ ହେବ ନୂତନ ସିଲାବସ୍‌: ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୦- ୨୦୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ପଢ଼ାଯିବାକୁ ଥିବା ପାଠ୍ୟକ୍ରମ ବା ସିଲାବସ୍‌କୁ ବଦଳାଯାଇ ତା’ ସ୍ଥାନରେ ଆଉ ଏକ ନୂତନ ସିଲାବସ୍‌ର ପ୍ରଣୟନ କରାଯିବ। ପ୍ରସ୍ତୁତ ହେବାକୁ ଥିବା ନୂତନ ସିଲାବସ୍‌ରେ ୨୦୨୦- ୨୦୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ପଢ଼ାଯିବାକୁ ଥିବା ପାଠ୍ୟକ୍ରମର ମାତ୍ରାକୁ କମାଇ ଦିଆଯିବ। ଯାହାଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚାପଗ୍ରସ୍ତ ହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ।
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ ଆଜି ଏସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କେନ୍ଦ୍ର ସରକାର ମାର୍ଚ୍ଚ ୨୪ ତାରିଖ ଠାରୁ ଲକ୍‌ଡାଉନ ଘୋଷଣା କରିବା ପରେ ସମଗ୍ର ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବା ସହ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଏ ପରିସ୍ଥିତିରେ ଗ୍ରୀଷ୍ମକାଳୀନ ଅବକାଶ ପରେ ବିଦ୍ୟାଳୟଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ କେବେ ଖୋଲିବ ଏବଂ ଶିକ୍ଷାଦାନ ପ୍ରକ୍ରିୟା ସ୍ୱାଭାବିକ ହେବ ସେ ସଂପର୍କରେ ଏବେ ଠାରୁ କଠିନ। ତେଣୁ, ଏପରିସ୍ଥିତିରେ ଯଦି ୨୦୨୦- ୨୦୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ପଢ଼ାଯିବାକୁ ଥିବା ପାଠ୍ୟକ୍ରମ ବା ସିଲାବସ୍‌କୁ ବଦଳା ନଯାଇ ପାଠ୍ୟକ୍ରମର ମାତ୍ରାକୁ କମ କରା ନଯାଏ, ତେବେ ଛାତ୍ରଛାତ୍ରୀମାନେ ଅଧିକ ମାତ୍ରାରେ ଚାପଗ୍ରସ୍ତ ହୋଇପଡ଼ିବେ। ତେଣୁ, ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ୨୦୨୦- ୨୦୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ପଢ଼ାଯିବାକୁ ଥିବା ପାଠ୍ୟକ୍ରମ ବା ସିଲାବସ୍‌କୁ ବଦଳାଯାଇ ତା’ ସ୍ଥାନରେ ଆଉ ଏକ ନୂତନ ସିଲାବସ୍‌ର ପ୍ରଣୟନ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ଣୀ ନିଶାଙ୍କ।

ସମ୍ବନ୍ଧିତ ଖବର