ରାଞ୍ଚି: ଝାଡ଼ଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ବ୍ୟାହତ ହୋଇଛି। ରାସ୍ତାଘାଟରେ ପାଣି ଭରିଯିିବାରୁ ଯାତାୟତରେ ମଧ୍ୟ ସମସ୍ୟା ଉପୁଜିଛି। ରାଞ୍ଚିରୁ ଷ୍ଟିଲ୍ ସିଟି ଜାମସେଦପୁର, ରାମଗଡ଼, ଲୋହରଦଗା, ଚତରା ପର୍ଯ୍ୟନ୍ତ ସବୁ ଜାଗାକୁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିବାବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନଦୀ ଏବଂ ଜଳପ୍ରପାତ ମଧ୍ୟ ବର୍ଷା ଜଳରେ ଭରିବାରେ ଲାଗିଛି।
ଏହି ସମୟରେ, ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ଖରାପ ପାଗରେ ମଧ୍ୟ ଜୋନ୍ହା ଜଳପ୍ରପାତ ଦେଖିବାକୁ ଯାଇଥିବା ଡିପିଏସ୍ ରାଞ୍ଚିର ସଂଗୀତ ଶିକ୍ଷକ ମାଇକେଲ୍ ଘୋଷ ଭାସିଯାଇଥିବା ଜଣାଯାଇଛି। ସେଲ୍ଫି ନେବା ସମୟରେ ଗୋଡ଼ ଖସିବାରୁ ସେ ନଦୀରେ ଭାସି ଯାଇଥିବା ଜଣାଯାଇଛି। ଘଟଣାଟି ଗୁରୁବାର ଅପରାହ୍ନରେ ଘଟିଥିଲା କିନ୍ତୁ ତାଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ।
ସୂଚନା ମୁତାବକ, ମାଇକେଲ ଘୋଷ ରାଞ୍ଚିର ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ସଙ୍ଗୀତ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ। ସେ ତାଙ୍କର ୨ବନ୍ଧୁ ପଙ୍କଜ ଶ୍ରୀବାସ୍ତବ ଏବଂ ଋତିକ୍ ସମଦଙ୍କ ସହିତ ପ୍ରାୟ ୩ଟା ସମୟରେ କାର ଯୋଗେ ଜୋନ୍ହା ଜଳପ୍ରପାତରେ ପହଞ୍ଚିଥିଲେ। ଜଳପ୍ରପାତରେ ପହଞ୍ଚିବା ପରେ, ତିନି ବନ୍ଧୁ ପ୍ରବଳ ବର୍ଷା ମଧ୍ୟରେ ଜଳପ୍ରପାତର ଉପର ପାର୍ଶ୍ୱକୁ ଯାଇଥିଲେ। ଅନ୍ୟ ପର୍ଯ୍ୟଟକମାନେ ସେମାନଙ୍କୁ ପାଣି ପାଖକୁ ନ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେମାନେ କାହା କଥା ନଶୁଣି ଉପରକୁ ଯାଇଥିଲେ। ଏହି ସମୟରେ ମାଇକେଲ ଏକ ପଥରରେ ଚଢ଼ି ସେଲ୍ଫି ନେବା ବେଳେ ହଠାତ୍ ସେ ପଥର ଉପରୁ ଖସି ପାଣିର ପ୍ରବଳ ସ୍ରୋତରେ ଭାସିଯାଇଥିଲେ।
ସୂଚନା ପାଇବା ପରେ ପୁଲିସ ଓ ଏନଡିଆରଏଫ ଦଳ ତାଙ୍କୁ ଖୋଜିବାକୁ ଚେଷ୍ଟା ଚଳାଇଥିଲେ ବି ତାଙ୍କର କୌଣସି ପତ୍ତା ମିଳିପାରିନାାହିଁ।