ଦିଲ୍ଲୀ ଓ ଆଖପାଖରେ ଥିବା ସ୍କୁଲ୍‌, କଲେଜ ବନ୍ଦ; ୫୦% କର୍ମଚାରୀଙ୍କୁ ଘରୁ କାମ କରାଇବାକୁ ଅଫିସ୍‌ମାନଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ଆଖପାଖରେ ଥିବା ସମସ୍ତ ସ୍କୁଲ୍‌ ଓ କଲେଜ ବନ୍ଦ ରହିବ ବୋଲି ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ‘କମିସନ୍‌ ଫର୍‌ ଏୟାର୍‌ କ୍ବାଲିଟି ମ୍ୟାନେଜ୍‌ମେଣ୍ଟ୍‌’ (ସିଏକ୍ୟୁଏମ୍‌) କହିଛି।

ଦୀପାବଳି ବେଳୁ ଜାତୀୟ ରାଜଧାନୀ ଅଞ୍ଚଳ ବିଷାକ୍ତ ଧୂଆଁମିଶା କୁହୁଡ଼ିରେ ବୁଡ଼ି ରହୁଥିବାରୁ ‘ସିଏକ୍ୟୁଏମ୍‌’ ପଡ଼ୋଶୀ ରାଜ୍ୟ ହରିୟାଣା, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ପ୍ରତି କେତେଗୁଡ଼ିଏ ନିର୍ଦେଶନାମା ଜାରି କରିଛି। ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ସଙ୍କଟ ସୁଧାରିବା ନିମନ୍ତେ ଗତକାଲି ଜରୁରୀ ବୈଠକ ବସିଥିଲା। ଉକ୍ତ ବୈଠକରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକୁ ତୁରନ୍ତ ଲାଗୁ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଗ୍ରହଣ କରିଥିବା ପଦ‌କ୍ଷେପ ସଂକ୍ରାନ୍ତରେ ନଭେମ୍ବର ୨୨ ତାରିଖ ଦିନ ରାଜ୍ୟ ସରକାରମାନେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।

Image Courtesy of NDTV

ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବା ବ୍ୟତିରେକେ, ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ସରକାରୀ ଅଫିସ୍‌ର ଅନ୍ୟୂନ ୫୦% କର୍ମଚାରୀ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଘରେ ରହି କାମ କରିବାକୁ ‘ସିଏକ୍ୟୁଏମ୍‌’ ନି‌ର୍ଦେଶ ଦେଇଛି। ଯାନବାହନଜନିତ ପ୍ରଦୂଷଣ ହ୍ରାସ ନିମନ୍ତେ ଘରୋଇ ପ୍ରତିଷ୍ଠାନଗୁଡ଼ିକ ପ୍ରତି ମଧ୍ୟ ସମାନ ପରାମର୍ଶ ୯ ପୃଷ୍ଠାସମ୍ବଳିତ ଏହି ନିର୍ଦେଶନାମା ଜାରି କରାଯାଇଛି।

ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଲା ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଥିବା ୧୧ଟି ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ରୁ ମାତ୍ର ୫ଟି ଚାଲିବ।

ସେହିପରି, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍‌ଗୁଡ଼ିକୁ ବାଦ ଦେଲେ ବାକି ଟ୍ରକ୍‌ଗୁଡ଼ିକୁ ମଧ୍ୟ ନଭେମ୍ବର ୨୧ ପର୍ଯ୍ୟନ୍ତ ଦିଲ୍ଲୀରେ ପ୍ରବେଶ କରିବାକୁ ବାରଣ କରାଯାଇଛି। କୌଣସି ପ୍ରକାର ନିର୍ମାଣ ଏବଂ ଭଙ୍ଗା କାର୍ଯ୍ୟକଳାପ ମଧ୍ୟ ନଭେମ୍ବର ୨୧ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର