ସ୍କୁଲ୍‌ରେ ଲାଗୁ ହୋଇପାରେ ଯୁଗ୍ମ ଅଯୁଗ୍ମ ରୋଲ୍ ନମ୍ବର ବ୍ୟବସ୍ଥା

ନୂଆଦିଲ୍ଲୀ: ଜାତୀୟ ଲକ୍‌ଡାଉନ୍ ପ୍ରତ୍ୟାହାର କରି ନିଆଯିବା ପରେ ସ୍କୁଲ୍‌ମାନଙ୍କର କ୍ଲାସ୍‌ରୁମ୍‌ରେ ଯୁଗ୍ମ ଅଯୁଗ୍ମ ରୋଲ୍‌ ନମ୍ବର ବ୍ୟବସ୍ଥା ଲାଗୁ କରାଯାଇ ପାରେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏହାର ଅର୍ଥ, ଦୈନିକ ୫୦% ଛାତ୍ରଛାତ୍ରୀଙ୍କୁ ହେଉଛି ସ୍କୁଲ୍‌ ଆସିବାକୁ ଅନୁମତି ମିଳିବ।

ସ୍କୁଲ୍ ଖୋଲିବା ପାଇଁ ‘ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ’ (ଏନ୍‌ସିଆର୍‌ଟି) ବିଚାର କରୁଥିବା ଯୋଜନାରେ ସାମାଜିକ ଦୂରତା, ବ୍ୟକ୍ତିଗତ ମୂଲ୍ୟାୟନ ଏବଂ ଶିକ୍ଷାଦାନ-ଶିକ୍ଷାଗ୍ରହଣ ଆଦି ପ୍ରସଙ୍ଗ ରହିଛି। ଏ ସଂକ୍ରାନ୍ତରେ ଆସନ୍ତା ସପ୍ତାହରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମାର୍ଗଦର୍ଶିକା ଘୋଷଣା କରିବାର ସମ୍ଭାବନା ରହିଛି। ବିଭିନ୍ନ ଗ୍ରୁପ୍‌ ଏହି ମାର୍ଗଦର୍ଶିକାର ଚୂଡ଼ାନ୍ତ ରୂପରେଖ ଦେଉଛନ୍ତି। ସୋମବାର ଦିନ ଏହାର ଡ୍ରାଫ୍‌ଟ୍ ମନ୍ତ୍ରାଳୟରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି।

Image Source: The Times of India

ଏହାଛଡ଼ା ଟିଭି ଚାନେଲ୍‌ମାନଙ୍କରେ ପ୍ରସାରଣ ପାଇଁ ସରକାର ‘ଇଚ୍ କ୍ଲାସ୍, ୱାନ୍ ଚାନେଲ୍’ କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ଯୋଜନା କରୁଛି। ଏହି କାର୍ଯ୍ୟକ୍ରମ ପାଇଁ ‘ଏନ୍‌ସିଆର୍‌ଟି’ ବିଷୟବସ୍ତୁ ଓ ‘ଲାଇଭ୍ ଇଣ୍ଟରାକସ୍‌ନ୍’ ପାଠ୍ୟ ମଧ୍ୟ ପ୍ରସ୍ତୁତ କରୁଛି।

ଚୂଡ଼ାନ୍ତ ମାର୍ଗଦର୍ଶିକା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ  ଅନୁମ‌ୋଦନ କରିବେ ବୋଲି ସୂଚନା ଦେଇ ‘ଏନ୍‌ସିଆର୍‌ଟି’ର ନିର୍ଦେଶକ ହୃଷୀକେଶ ସେନାପତି କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ କୌଣସି ମତେ ସାଲିସ ନ କରାଯିବା ପାଇଁ ଏହି ସବୁ ବ୍ୟବସ୍ଥା ପାଇଁ ଯୋଜନା କରାଯାଉଛି।

ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା ବ୍ୟତୀତ ସପ୍ତାହ ଅଦଳ ବଦଳ ବ୍ୟବସ୍ଥା ଉପରେ ମଧ୍ୟ ବିଚାର କରାଯାଉଛି। ଘରେ ରହୁଥିବା ଦିନ ଛାତ୍ରଛାତ୍ରୀମାନେ କ’ଣ କରିବେ ତାହାର ମଧ୍ୟ ଏହି ମାର୍ଗଦର୍ଶିକାରୁ ଜଣାପଡ଼ିବ। ଏହାଛଡ଼ା ଆଉ ଏକ ବିକଳ୍ପ ହେଉଛି, ସ୍କୁଲ ସବୁ ଅନ୍‌ଲାଇନ୍ କ୍ଲାସ୍ କରାଇ ସେଥିରେ ପିଲାମାନଙ୍କୁ ପାଠ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ଦେଇ ପାରିବେ। ଏହାର ବିନ୍ୟାସ ମଧ୍ୟ ‌ସେ ମାର୍ଗଦର୍ଶିକାରେ କରାଯାଉଛି।

 

ସମ୍ବନ୍ଧିତ ଖବର