ତାମିଲନାଡୁ ସ୍କୁଲ୍‌ରେ ୫ମ ଶ୍ରେଣୀ ପିଲାଙ୍କୁ ଜେଇଇ ଏବଂ ଏନ୍‌ଇଇଟି ପାଇଁ ଦିଆ ଯାଉଛି ତାଲିମ

ଚେନ୍ନାଇ: ଏବେ ତାମିଲନାଡୁରେ କୋଚିଙ୍ଗ୍‌ ସେଣ୍ଟର୍‌ଗୁଡ଼ିକ ୫ ଶ୍ରେଣୀ ପିଲାଙ୍କୁ ଜେଇଇ ଏବଂ ଏନ୍‌ଇଇଟି ପରୀକ୍ଷା ନିମନ୍ତେ ପ୍ରସ୍ତୁତି ତାଲିମ ଦେଉଛନ୍ତି। ପ୍ରଥମେ ସେମାନେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ଜେଇଇ ଏବଂ ଏନ୍‌ଇଇଟି ପରୀକ୍ଷା ନିମନ୍ତେ ତାଲିମ ଦେବାକୁ କହୁଥିଲେ। ତା’ପରେ ସେମାନେ ଆହୁରି ତଳ ଶ୍ରେଣୀକୁ ଖସି ଏବେ ୧୦ ବର୍ଷିୟ ପିଲାଙ୍କ ଉପରେ ଧ୍ୟାନ ଦେଲେଣି।

ଏହି କୋଚିଙ୍ଗ୍‌ ସେଣ୍ଟର୍‌ ସବୁ ଆଶାୟୀ ଅଭିଭାବକମାନଙ୍କୁ ଏମିତି ପ୍ରଭାବିତ କରି ପକାଇଛନ୍ତି ଯେ ସେମାନେ ନିଜ ନିଜର ୧୦ ବର୍ଷିୟ ପିଲାଙ୍କୁ କୋଚିଙ୍ଗ୍‌ ସେଣ୍ଟର୍‌ର ‘ସ୍ମାର୍ଟ କ୍ଲାସ୍‌ରୁମ୍‌’କୁ ପଠାଇ ସେମାନଙ୍କୁ ଥର୍ମୋଡାଇନାମିକ୍‌ସ୍‌, ଫ୍ଲୁଇଡ୍‌ ମେକାନିକ୍ସ ଏବଂ କାଲ୍‌କୁଲସ୍‌ ଆଦି ଶିଖାଉଛନ୍ତି। ପିଲାକାଳରୁ ଛାତ୍ରମାନଙ୍କୁ ଏହି ଭଳି ପାଠ ଶିକ୍ଷା ଦେବାକୁ ସ୍କୁଲ୍‌ ସବୁ ସେ ଭଳି କୋଚିଙ୍ଗ୍‌ ସେଣ୍ଟର୍‌ରେ ଅନୁବନ୍ଧିତ ହେବାକୁ ବ୍ୟାକୁଳ ହୋଇ ଉଠିଛନ୍ତି।

Image Courtesy of The Huffington Post India

ଅମ୍ବାତ୍ତୁରସ୍ଥିତ ଭେଲାମ୍ମାଲ ସ୍କୁଲ୍‌ର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କ ପିତା କହନ୍ତି ଯେ ପୁଅକୁ କୋଚିଙ୍ଗ୍‌ ସେଣ୍ଟର୍‌ ପଠାଇବାକୁ ତାଙ୍କ ଅନୁମତି ଚାହୁଁ ଥିଲା ସ୍କୁଲ୍‌, କିନ୍ତୁ ସେ ମନା କରିଦେଲେ। ପିଲାମାନଙ୍କୁ ଏତେ ଅଳ୍ପ ବୟସରୁ ତାଲିମ ଦେବାକୁ ସେ ଚାହିଁଲେ ନାହିଁ। କିନ୍ତୁ, ଅନେକ ଅଭିଭାବକ ପ୍ରତିଯୋଗିତା ସୁଅରେ ଭାସିଯାଇ ପିଲାମାନଙ୍କୁ ସ୍ୱଳ୍ପ ବୟସରୁ ସେହି ଛାଞ୍ଚରେ ପକାଇବାକୁ ଚାହୁଁଛନ୍ତି।

ଚେନ୍ନାଇସ୍ଥିତ ଏଭର୍‌ଓ୍ଵିନ୍‌ ମାଟ୍ରିକ୍ୟୁଲେସନ୍‌ ସ୍କୁଲ୍‌ରେ ୫ମ, ୬ଷ୍ଠ ଓ ୭ମ ଶ୍ରେଣୀର ପିଲାଙ୍କୁ ସପ୍ତାହକୁ ଅନ୍ତତଃ ଦୁଇ ଘଣ୍ଟା ଏହି ତାଲିମ ନେବା ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ସ୍କୁଲ୍‌ ଟାଇମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସହ ଅନୁବନ୍ଧିତ ହୋଇ ଅଷ୍ଟମ ଶ୍ରେଣୀ ଠାରୁ ପିଲାଙ୍କୁ ତାଲିମ ଦେବା ଆରମ୍ଭ କରାଯାଇଛି। ସେଥିରେ ଜେଇଇ/ଏନ୍‌ଇଇଟି ପରୀକ୍ଷା ପାଇଁ ପ୍ରତି ମାସରେ ମକ୍‌ ଟେଷ୍ଟ୍‍ କରାଯାଉଛି।

ସ୍କୁଲ୍‌ ସବୁ ଭାବୁଛନ୍ତି ଶୁଭସ୍ୟ ଶୀଘ୍ରମ୍‌। ସାଧାରଣ ଶିକ୍ଷା ସହିତ ଏ ଭଳି ତାଲିମ ଦିଆଗଲେ ସେମାନଙ୍କର ଚିନ୍ତାଧାର ଠିକ୍‌ ରହିବ ବୋଲି ସେମାନେ ବିଚାର କରୁଛନ୍ତି। ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ ମିଳନ, ଶୂନ୍ୟସ୍ଥାନ ପୂରଣ କିଂବା ରଚନା ଲେଖିବା ଅପେକ୍ଷା ଏହା ସେମାନଙ୍କ ପାଇଁ ଏକ ନୂତନ ଶିକ୍ଷାର ଧାରା ବୋଲି ଜଣେ ସ୍କୁଲ୍‌ ପ୍ରତିନିଧି କହନ୍ତି।

କିନ୍ତୁ, ଏଥିରେ ସବୁ ଅଭିଭାବକ ଏକମତ ନୁହନ୍ତି। ସେମାନେ କହନ୍ତି: ମଧ୍ୟଇଂରାଜୀ ବିଦ୍ୟାଳୟରେ ସ୍ତମ୍ଭ ମିଳନ କରାଇବା କ’ଣ ପିଲାଙ୍କ ପାଇଁ ଉଚିତ ନୁହେଁ। ପ୍ରତିଯୋଗିତା ପରୀକ୍ଷା ପାଇଁ ଏବେଠୁ ଚିନ୍ତିତ ହେବା ଅପ୍ରାସଙ୍ଗିକ ବୋଲି ଅରୁଣ କେ ନାମକ ଜନୈକ ଅଭିଭାବକ କହନ୍ତି।


ଘରୋଇ କୋଚିଙ୍ଗ୍‌ ସେଣ୍ଟର୍‌ ସବୁ କହନ୍ତି ସେମାନେ ଏଥିପାଇଁ ଯେତେ ଆଗ୍ରହୀ ନୁହନ୍ତି, ସ୍କୁଲ୍‌ ତାଙ୍କ ଠାରୁ ଏ ବାବଦରେ ଅଧିକ ଆଗ୍ରହୀ।

ମନସ୍ତତ୍ତ୍ୱବିତ୍‌ ଲକ୍ଷ୍ମୀ ବିଜୟକୁମାର କହନ୍ତି: ଏଥିରେ ପିଲାମାନଙ୍କର କିଛି ହିତ ହୁଏ ନାହିଁ। ପିଲାଙ୍କୁ ପ୍ରଥମେ ଜୀବନ କୌଶଳ ଶିକ୍ଷା ଦେବା କଥା। ପିଲାଦିନୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ତାଲିମ ଦେଲେ ଜୀବନରେ ଟିମ୍‌ଓ୍ଵାର୍କ ଭଳି ଗୁରୁତ୍ୱପୂର୍ଣ୍ଣ କାମ ପଛକୁ ରହିଯାଏ। ତା’ଛଡ଼ା ପିଲାଏ ଦୃଢ଼ ନିଶ୍ଚିତ ହୋଇ ଯାଆନ୍ତି ଯେ, ଦୁନିଆରେ ଗଣିତ ଏବଂ ବିଜ୍ଞାନ ହିଁ ସବୁଠୁ ଗୁରତ୍ୱପୂର୍ଣ୍ଣ।

ସମ୍ବନ୍ଧିତ ଖବର