ନାଗରିକତା ଆଇନ୍‌ ବିରୋଧରେ ପ୍ରଦର୍ଶନ: ଆସନ୍ତାକାଲି ଦକ୍ଷିଣ-ପୂର୍ବ ଦିଲ୍ଲୀରେ ସବୁ ସ୍କୁଲ ରହିବ ବନ୍ଦ

କିଛି ମେଟ୍ରୋ ଷ୍ଟେସନ୍‌ର ପ୍ରବେଶ-ପ୍ରସ୍ଥାନ ଦ୍ୱାର ବନ୍ଦ ରଖାଯିବ

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ ବିରୋଧରେ ଜାତୀୟ ରାଜଧାନୀ ଦିଲ୍ଲୀର ହିଂସା ବିରୋଧ-ପ୍ରଦର୍ଶନ ପରେ ଦିଲ୍ଲୀର ଦକ୍ଷିଣ-ପୂର୍ବ ଜିଲ୍ଲାରେ ଓଖଲା, ଜାମିୟା, ନ୍ୟୁ ଫ୍ରେଣ୍ଡସ୍‌ କଲୋନି, ମଦନପୁର ଖାଦର ଅଂଚଳର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସୋମବାର ବନ୍ଦ ରହିବ। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ରବିବାର ଏହି ସୂଚନା ଦେଇଛନ୍ତି।

ସେହିଭଳି ଏହି ଆଇନକୁ ବିରୋଧ କରୁଥିବା ପ୍ରଦର୍ଶନକାରୀ ଜାମିଆ ନିକଟସ୍ଥ ଜସୋଲାରେ ୪ଟି ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଲା ପରେ ପ୍ରଦର୍ଶନକାରୀମାନେ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ କରିଛନ୍ତି। ଫଳରେ ଅଗ୍ନିଶମ ବିଭାଗର ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଦକ୍ଷିଣ-ପୂର୍ବରେ ହିଂସା ଓ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବସନ୍ତ ବିହାର, ମୁନିରକା ଓ ରାମକୃଷ୍ଣପୁରମ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ ରହିବ। ଅର୍ଥାତ ଏହି ଷ୍ଟେସନଗୁଡ଼ିକରେ ଟ୍ରେନ ଅଟକିବ ନାହିଁ। ଡିଏମ୍‌ଆରସି ଟୁଇଟ୍‌ କରି ଏହି ସୂଚନା ଦେଇଛି।

ବିରୋଧ ପ୍ରଦର୍ଶନ ଯୋଗୁଁ ଆଜି ଆଶ୍ରମ ଛକ, ରିଙ୍ଗରୋଡ଼, ମୂଳଚନ୍ଦ୍ର ଫ୍ଲାଇଓଭରରେ ଲମ୍ବା ଲାଇନ୍‌ ଲାଗିଥିଲା। ସରାୟ କାଲେଙ୍ଗା, ସଖଲା ଭୂତଳ ରାସ୍ତା, ସରିତା ବିହାର, କାଳିନ୍ଦୀ କୁଞ୍ଜ ଅଞ୍ଚଳରେ ପ୍ରବଳ ଗହଳି ଲାଗିଥିଲା। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଉପରାଜ୍ୟପାଳ ଅନୀଲ ବାଇଜଲଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଜାମିଆ ଅଞ୍ଚଳରେ ବ୍ୟାପାକ ପୁଲିସ ମୁତୟନ କରାଯାଇଛି।

 

 

ସମ୍ବନ୍ଧିତ ଖବର