କୃଷକ ଆ‌ନ୍ଦୋଳନକୁ ସମର୍ଥନ: ପୁରସ୍କାର ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ହାତଯୋଡି ମନା କଲେ କୃଷି ବୈଜ୍ଞାନିକ

ଲୁଧିୟାନା : ଏବେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଦେଶବିଦେଶରୁ ସମର୍ଥନର ସୁଅ ଛୁଟିଛି । ବ୍ରିଟେନ, କାନାଡା ଆମେରିକା ଭଳି ଦେଶରୁ ଭାରତର କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ମିଳୁଥିବା ବେଳେ ଦେଶର କିଛି ଜଣାଶୁଣା ଲେଖକ, ରାଜନେତା ଓ ଖେଳାଳି କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ସେମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପୁରସ୍କାର ଫେରାଉଥିବା ଦେଖାଯାଇଛି । ଏହାରି ମଧ୍ୟରେ ଏକ ଚକିତ କରିବା ଭଳି ଖବର ଆସିଛି ପଞ୍ଜାବର ଲୁଧିଆନାରୁ ।

ଲୁଧିଆନାସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ମୃର୍ତ୍ତିକା ବୈଜ୍ଞାନିକ ବୀରେନ୍ଦ୍ରପାଲ ସିଂ କୃଷକଙ୍କ ସମର୍ଥନରେ ବାହାରିଛନ୍ତି । ତାଙ୍କୁ ଗବେଷଣା ପାଇଁ ତାଙ୍କୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା ପୁରସ୍କାର ପ୍ରଦାନ କରିବାକୁ ଯାଉଥିବା ବେଳେ ସେ ମନ୍ତ୍ରୀଙ୍କୁ ହାତଯୋଡି ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ବୀରେନ୍ଦ୍ରଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ଫର୍ଟିଲାଇଜର ଆସୋସିଏସନ ପକ୍ଷରୁ ଗୋଲଡେନ୍ ଜୁବଲି ସମ୍ମାନରେ ସମ୍ମାନିତ କରାଯିବାକୁ ଘୋଷଣା କରାଯାଇଥିଲା । ଏହାପରେ ଆୟୋଜିତ ସଭାର ମଂଚ ଉପରକୁ ଆସିଥିଲେ ବୀରେନ୍ଦ୍ରପାଲ୍ ସିଂ । ସେଠାରେ ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୌଡା ଓ ଫର୍ଟିଲାଇଜର ଆସୋସିଏସନକୁ ଧନ୍ୟବାଦ ଜଣାଇଥିଲେ । ହେଲେ ମନ୍ତ୍ରୀ ଯେତେବେଳେ ପୁରସ୍କାର ପ୍ରଦାନ କରିବାକୁ ଆସିଲେ ସେତେବେଳେ ଶ୍ରୀ ସିଂ ଅତ୍ୟନ୍ତ ବିନୟ ଭାବେ ହାତଯୋଡି ପୁରସ୍କାର ଗ୍ରହଣ କରିବାକୁ ମନାକରି ଦେଇଥିଲେ ।

ସେ ମଂଚରେ କହିଥିଲେ କି ଅନ୍ନଦାତାଙ୍କ ଆନ୍ଦୋଳନକୁ ସେ ସମର୍ଥନ କରୁଛନ୍ତି । ତେଣୁ ସରକାରଙ୍କଠାରୁ ପୁରସ୍କାର ନେଲେ ତାହା କୃଷକମାନଙ୍କ ପ୍ରତି ଅପମାନ ହେବ । ଏହାସହ ଯାହାଙ୍କ ପାଇଁ ମୁଁ ଜୀବନସାରା ଗବେଷଣା ଚଳାଇଛି ସେମାନଙ୍କୁ ଯେତେବେଳେ ସରକାର ହକ୍ ଦେବାକୁ ରାଜି ନୁହନ୍ତି ସେତେବେଳେ ଏ ଗବେଷଣା କେଉଁ କାମରେ ଲାଗିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର