ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଯେଉଁ ବୈଜ୍ଞାନିକ କରୋନା ନୂଆ ଭାରିଆଣ୍ଟ ଓମିକ୍ରନକୁ ଚିହ୍ନଟ କରିଥିଲେ, ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଛି । ଏହାର ଏକ ଚିଠି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ମଧ୍ୟ ମିଳିଛି । ତେବେ ଏନେଇ ମାମଲା ରୁଜୁ ହେବା ପରେ ଚିଠିକୁ ନେଇ ଖୋଳତାଡ ଆରମ୍ଭ କରିଛି ପୁଲିସ ।

Advertisment

ଏହି ଚିଠିରେ ଲେଖା ଯାଇଛି ଯେ, ବୈଜ୍ଞାନିକ ଏହି ଭାରିଆଣ୍ଟକୁ ନେଇ ଲୋକମାନଙ୍କ ଭିତରେ ଭୟ ସୃଷ୍ଟି କରୁଛନ୍ତି । ତେବେ ଏଭଳି ଏକ ଚିଠି ରାଷ୍ଟ୍ରପତିଙ୍କ ପାଖକୁ ବି ଆସିଛି । ଏହି ଚିଠି ଆସିବା ପରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଦକ୍ଷିଣ ଆଫ୍ରିକା ପୁଲିସ ସେବାର ଜାତୀୟ ମୁଖପାତ୍ର ବିଷ୍ଣୁ ନାଇଡୁ ରବିବାର କହିଛନ୍ତି ଯେ, ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ କାର୍ଯ୍ୟାଳୟକୁ ପ୍ରଫେସର ଟୁଲିଓ ଡି ଅଲିଭେଇରାଙ୍କ ସମେତ ଅନେକ ଅଗ୍ରଣୀ କୋଭିଡ ଅନୁସନ୍ଧାନକାରୀଙ୍କୁ ହତ୍ୟା ପାଇଁ ଏକ ଧମକପୂର୍ଣ୍ଣ ଚିଠି ଆସିଛି। ଏହି ଘଟଣାର ତଦନ୍ତ କରାଯାଉଛି। ଓମିକ୍ରନ୍ ଭାରିଆଣ୍ଟକୁ ଚିହ୍ନଟ କରିଥିବା ଟିମର ନେତୃତ୍ବ ନେଇଥିଲେ ପ୍ରଫେସର ଅଲିଭେଇରା। ଏକ ସପ୍ତାହ ପୂର୍ବରୁ ଏହି ଘଟଣା ଆମ ନଜରକୁ ଆସିଥିଲା। ଅଭିଯୋଗକାରୀମାନେ ନ୍ୟାସନାଲ କରୋନା କମାଣ୍ଡ କାଉନସିଲର ପରାମର୍ଶଦାତା ହୋଇଥିବାରୁ ଏହି ମାମଲାକୁ ପ୍ରାଥମିକତା ଦିଆଯାଇଛି।

ତେବେ ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ସୁସ୍ଥତା ପାଇଁ କାମନା କରିଛନ୍ତି ।