ୱାଶିଂଟନ: ବୈଜ୍ଞାନିକମାନେ ବର୍ତ୍ତମାନ କରୋନା ଭୂତାଣୁଙ୍କ ‘ୱିକ୍ ସ୍ପଟ୍’ ଉପରେ ଅଧ୍ୟୟନ କରୁଛନ୍ତି, ଯାହାଦ୍ବାରା ସେମାନେ ଅଧିକ ପ୍ରଭାବଶାଳୀ ଟିକା ପ୍ରସ୍ତୁତ କରିପାରିବେ ଏବଂ ଶସ୍ତାରେ ରୋଗୀଙ୍କ ଚିକିତ୍ସା କରାଯାଇପାରିବ। ଲା ଜୋଲ୍ଲା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇମ୍ୟୁନୋଲୋଜିରେ କରାଯାଇଥିବା ଗବେଷଣାର ଫଳାଫଳ ବୈଜ୍ଞାନିକମାନଙ୍କୁ ଉକ୍ତ ନୂତନ ଅଧ୍ୟୟନ ପାଇଁ ମାର୍ଗ ପ୍ରଶସ୍ତ କରିଛି।
୫୬ଟି ଗବେଷକ ଦଳ ଅତି ସଂକ୍ରାମକ ଡେଲ୍ଟା ଭାରିଆଣ୍ଟର ସଫଳ ଚିକିତ୍ସା ତଥା ଅଧିକ ପ୍ରଭାବଶାଳୀ ଟିକା ପ୍ରସ୍ତୁତି ନିମନ୍ତେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରୁଛନ୍ତି। ଲା ଜୋଲ୍ଲା ଇନ୍ଷ୍ଟିଚ୍ୟୁଟ୍ର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଓଲ୍ମାନ ସାଫାୟାର କହିଛନ୍ତି ଯେ, କୋଭିଡ୍-୧୯ର ଦୀର୍ଘସ୍ଥାୟୀ ଆଣ୍ଟିବଡ଼ି ମିଶ୍ରଣ ଚୟନ ପାଇଁ ସେମାନଙ୍କ ପାଖରେ ଏକ ଢାଞ୍ଚା ରହିଛି। ଏରିକା ଓଲ୍ମାନ ସାଫାୟାର ଗତ ଦେଢ଼ବର୍ଷ ହେଲା କରୋନା ଭୂତାଣୁ ଉପରେ ଗବେଷଣା କରିଆସୁଛନ୍ତି।
ଗବେଷକମାନଙ୍କ ଲକ୍ଷ୍ୟ ହେଉଛି ପୂର୍ବରୁ ଟିକା ନେଇ ନ ଥିବା ବା ବ୍ରେକ୍ଥ୍ରୁ ସଂକ୍ରମଣର ଶିକାର ହୋଇ ନ ଥିବା କୋଭିଡ୍-୧୯ ରୋଗୀମାନଙ୍କ ଚିକିତ୍ସା ପାଇଁ ଦୁଇଟି ଶକ୍ତିଶାଳୀ ଓ ସହାୟକ ଆଣ୍ଟିବଡ଼ି ବାହାର କରିବା। ଏଥିରେ ୨୫ ଡଲାର ଭିତରେ ଖର୍ଚ୍ଚ ପଡ଼ିବ। କୋଭିଡ୍ ଚିକିତ୍ସା ପାଇଁ ବର୍ତ୍ତମାନ ୧୦୦୦ ଡଲାରରୁ ଅଧିକ ଖର୍ଚ୍ଚ ହେଉଛି ଏବଂ ଚିକିତ୍ସା ବି ଅନେକ ସମୟରେ ସଫଳ ହେଉନାହିଁ। ତେଣୁ ୨୫ ଡଲାର ଭିତରେ ସଫଳ ଚିକିତ୍ସା କିପରି ହୋଇପାରିବ ସେଥିପାଇଁ ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି ବୋଲି ସାଫାୟାର କହିଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ ଏକ ଆଣ୍ଟିବଡ଼ିର ବିକାଶ କରିଛନ୍ତି, ଯେଉଁଥିରୁ ସଫଳତା ମିଳୁଥିବା ଦେଖାଯାଇଛି। ଏହି ‘ରକ୍ ଷ୍ଟାର୍’ ଆଣ୍ଟିବଡ଼ି ରୋଗପ୍ରତିରୋଧକତାକୁ ଭେଦ କରିପାରୁଥିବା ଭାରିଆଣ୍ଟକୁ ଅଟକେଇପାରୁଛି। ଲ୍ୟାବ୍ ମୂଷାଙ୍କୁ ଏହା ଶତପ୍ରତିଶତ ସୁରକ୍ଷା ଦେଇପାରୁଛି। ଏହା ଉପରେ ଅଧିକ ଗବେଷଣା ଜାରି ରହିଛି ବୋଲି ଓଲ୍ମାନ କହିଛନ୍ତି।