ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର କୁପରିଣତି ନାନାବିଧ ପ୍ରାକୃତିକ ବିପର୍ଯ୍ୟୟ ରୂପରେ ସାରା ପୃଥିବୀକୁ ଭୋଗିବାକୁ ପଡ଼ୁଛି। ଉତ୍ତାପ ବୃଦ୍ଧି ରୋକିବା ପାଇଁ ଏବେ ହିଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ଏବଂ ଏବେ ନୁହେଁ ତ କେବେ ନୁହେଁ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଜାତିସଂଘ ଅଧୀନରେ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ ଜଳବାୟୁ ପରିବର୍ତ୍ତନ ପ୍ୟାନେଲ (ଆଇପିସିସି)ର ୱାର୍କିଂ ଗ୍ରୁପ୍-୩ କହିଛି ଯେ, ବର୍ତ୍ତମାନ ଉପଲବ୍ଧ ପ୍ରଯୁକ୍ତିର ଉପଯୋଗ କରି ୫୦ରୁ ୮୦ ପ୍ରତିଶତ ଜୀବାଶ୍ମ ଇନ୍ଧନ ଦହନକୁ ଏଡ଼ାଯାଇପାରିବ। ପ୍ୟାନେଲର ରିପୋର୍ଟ ଅନୁସାରେ ୨୦୨୦ ପରଠାରୁ ବିଶ୍ବ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣକୁ ୫୦୦ ବିଲିୟନ ଟନରେ ସୀମିତ ରଖିପାରିବ। ଫଳରେ ୧.୫ ଡିଗ୍ରି ସେଲ୍‌ସିୟସ୍ ଉତ୍ତାପ ବୃଦ୍ଧିକୁ ରୋକାଯାଇପାରିବ।

Advertisment

Should There Be Changes in Law to Save the Planet? Image Courtesy: Lawyer Monthly

୨୦୧୦ରୁ ୨୦୧୯ ମଧ୍ୟରେ ବାୟୁମଣ୍ଡଳକୁ ସବୁଜଗୃହ ବାଷ୍ପ ନିର୍ଗମନ ବୃଦ୍ଧି ପାଇଛି ଏବଂ ୨୦୧୯ରେ ଏହା ୨୦୧୨ ତୁଳନାରେ ୧୨ ପ୍ରତିଶତ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି। ଏହାକୁ ହ୍ରାସ କରିବା ପାଇଁ ହେଲେ ଜୀବାଶ୍ମ ଇନ୍ଧନର ବ୍ୟବହାର କମାଇବାକୁ ହେବ। ଏଥିପାଇଁ କମ୍ ପ୍ରଦୂଷଣକାରୀ ଶକ୍ତି ଉତ୍ସର ବ୍ୟବହାର କରିବା, ବିକଳ୍ପ ଶକ୍ତିର ଉପଯୋଗ କରିବା, ଶକ୍ତି ଦକ୍ଷତା ବୃଦ୍ଧି କରିବା ଏବଂ ଶକ୍ତି ସଂରକ୍ଷଣ କରିବା ଆବଶ୍ୟକ। ଯେତେ ସହରୀକରଣ ହେବ, ସହରରେ ଥିବା ଜାଗାର ଯେତେ ଉପଯୋଗ ହେବ ଏବଂ ବିକାଶର ସ୍ତର ଯେତେ ବଢ଼ିବ ପ୍ରଦୂଷଣ ଓ ଉତ୍ତାପ ସେତେ ବଢ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ପରିବେଶ ସୁରକ୍ଷା ଓ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଦିଗରେ ପଦକ୍ଷେପ ନେବା ପାଇଁ ଗରିବ ଦେଶଗୁଡ଼ିକୁ ବିକଶିତ ଦେଶମାନେ ସାହାଯ୍ୟ କରିବା ଉଚିତ। ସବୁଦେଶ ଏବେଠାରୁ ପଦକ୍ଷେପ ନ ନେଲେ ପରେ ବହୁତ ଡେରି ହୋଇଯିବ ବୋଲି ପ୍ର. ନବରୋଜ କେ. ଦୁବାସ କହିଛନ୍ତି।