ବୈଜ୍ଞାନିକଙ୍କ ଦାବି: କରୋନା ଭୂତାଣୁ ବାୟୁବାହିତ

‘ହୁ’ ସଂକ୍ରମଣ ପରାମର୍ଶାବଳୀରେ ପରିବର୍ତ୍ତନ ଆଣିବା ଜରୁରୀ

ନୂଆଦିଲ୍ଲୀ: ବିଶ୍ବରେ ଅଦ୍ୟାବଧି ପାଖାପାଖି କୋଟିଏ ୧୬ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ପାଞ୍ଚ ଲକ୍ଷ ୩୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍-୧୯ର ସଂକ୍ରମଣ ସମ୍ପର୍କରେ ଭିନ୍ନ ଭିନ୍ନ ତଥ୍ୟ ସାମନାକୁ ଆସୁଛି। ତେବେ ଏହା ମୁଖ୍ୟତଃ ସଂସର୍ଗଜନିତ ବୋଲି ଆଗରୁ ଧାରଣା ରହି ଆସିଥିବା ବେଳେ ଏହା ମଧ୍ୟ ବାୟୁବାହିତ ବୋଲି ବୈଜ୍ଞାନିକମାନେ ଦାବି କରିବା ଘଟଣା ବିଶ୍ବ ସମୁଦାୟକୁ ପୁଣି ଅଧିକ ଆତଙ୍କିତ କରିଦେଇଛି। ନ୍ୟୁୟର୍କ ଟାଇମ୍‌ସରେ ପ୍ରକାଶିତ ଏ ସଂକ୍ରାନ୍ତ ଏକ ରିପୋର୍ଟରେ କରୋନାଭୂତାଣୁ ବାୟୁ ଦ୍ବାରା ପ୍ରବାହିତ ବୋଲି ପ୍ରମାଣ ରହିଥିବା କଥା ଶତାଧିକ ବୈଜ୍ଞାନିକ ଉଲ୍ଲେଖ କରିଛନ୍ତି। ଅବଶ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏଭଳି ନୂତନ ତତ୍ତ୍ବକୁ ଗ୍ରହଣ କରିନଥିଲେ ହେଁ ବାୟୁମଣ୍ଡଳରେ ଉଡ଼ି ବୁଲୁଥିବା କ୍ଷୁଦ୍ର କରୋନା ଭୂତାଣୁ କଣିକା ବି ଲୋକଙ୍କୁ ସଂକ୍ରମିତ କରିଦେଇପାରେ ବୋଲି ସେମାନେ ଦାବି କରିଛନ୍ତି। ଏପରିକି ସଂକ୍ରମଣରୁ ମୁକ୍ତ ହେବା ଲାଗି ଗହଳି ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବାର ମାନେ କିଛି ନାହିଁ, ଯେହେତୁ ଘର ଭିତର ବାୟୁମଣ୍ଡଳରେ ବି ଘୂରି ବୁଲୁଥିବା ଅଭିନବ କରୋନା ଭୂତାଣୁ ସଂସ୍ପର୍ଶରେ ଆସି ଯେ କେହି ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ସେମାନେ ଟିପ୍ପଣୀ କରିଛନ୍ଥି। ସୁତରାଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ତଦନୁଯାୟୀ ଏହି ମହାମାରୀ ରୋଗର ସଂକ୍ରମଣ ସମ୍ପର୍କରେ ଜାରି କରିଥିବା ପୂର୍ବ ପରାମର୍ଶାବଳୀରେ ତୁରନ୍ତ ପରିବର୍ତ୍ତନ ଆଣିବାକୁ ଏହି ବୈଜ୍ଞାନିକମାନେ ଦାବି କରିଛନ୍ତି।

ସୂଚନା ଥାଉ କି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଯାସ ହେଲା, ଜଣେ କରୋନା ସଂକ୍ରମିତ କାଶିବା, ଛିଙ୍କିବା ବା କଥା କହିବା ବେଳେ ତା’ ପାଟି ଓ ନାକରୁ ନିର୍ଗତ ଜଳକଣା ଦ୍ବାରା ଅଭିନବ କରୋନା ଭୂତାଣୁ ସାର୍ସ-କୋଭ୍-୨ ଅନ୍ୟ ଜଣକ ଶରୀରକୁ ସଂକ୍ରମିତ ହୋଇଥାଏ। ତେବେ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକଙ୍କ ସଦ୍ୟ ଅନୁଧ୍ୟାନ ଅନୁସାରେ ଜଣେ କୋଭିଡ୍ ରୋଗୀ ଛିଙ୍କିବା ବା କାଶିବା ସମୟରେ ତା’ ପାଟି ବା ନାକରୁ ବାହାରୁଥିବା ବଡ଼ ଜଳକଣା କେବଳ ଏହି କରୋନା ଭୂତାଣୁ ସଂକ୍ରମଣ ପାଇଁ ଦାୟୀ ନୁହେଁ। ବାୟୁମଣ୍ଡଳରେ ଘୂରି ବୁଲୁଥିବା କ୍ଷୁଦ୍ର ଜଳକଣାରେ ମଧ୍ୟ କରୋନା ଭୂତାଣୁ ପରିବାହିତ ହୋଇଥିବାର ଅନେକ ପ୍ରମାଣ ମିଳିଛି। ତେଣୁ ଏକ ବଡ଼ କୋଠରି ଭିତରେ ଆବଦ୍ଧ ଏପରି କ୍ଷୁଦ୍ର ଜଳକଣା ଦ୍ବାରା ମଧ୍ୟ ଜଣେ ସୁସ୍ଥ ଲୋକ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇପାରିବ। ସୁତରାଂ ଭାରତ ସମେତ ବିଭିନ୍ନ ଦେଶରେ ସଂକ୍ରମଣ ରୋକିବା ପାଇଁ ନିଆଯାଉଥିବା ସାମ୍ପ୍ରତିକ ପଦକ୍ଷେପଗୁଡ଼ିକରେ ତ୍ବରିତ ପରିବର୍ତ୍ତନ ଜରୁରୀ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ଏପରିକି ଜଣେ ଘର ଭିତରେ ସଂଗରୋଧରେ ରହିବା ବେଳେ ମଧ୍ୟ ଉଚ୍ଚମାନର ଏନ୍‌୯୫ ମାସ୍କ ପିନ୍ଧିବା ଅପରିହାର୍ଯ୍ୟ ବୋଲି ସେମାନେ ଚେତାଇ ଦେଇଛନ୍ତି।

ଅପରପକ୍ଷେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଂକ୍ରମଣ ନିବାରଣ ଓ ନିୟନ୍ତ୍ରଣ ବିଭାଗର ବୈଷୟିକ ମୁଖ୍ୟ ଡା. ବେନେଦେତ୍ତା ଆଲେଗ୍ରାଞ୍ଜିଙ୍କ କହିବା କଥା, କରୋନା ଭୂତାଣୁ ଏଭଳି ବାୟୁଦ୍ବାରା ପରିବାହିତ ହେଉଥିବା ସମ୍ପର୍କରେ ବିଗତ ଦୁଇମାସ ହେଲା ଅନୁଧ୍ୟାନ କରାଯାଉଛି। ମାତ୍ର ସେଭଳି କିଛି ସ୍ପଷ୍ଟ ବଳିଷ୍ଠ ପ୍ରମାଣ ଏ ଯାଏ ମିଳିନାହିଁ। ତେଣୁ ଜନସାଧାରଣ ଆତଙ୍କିତ ନହେବା ପାଇଁ ସେ ପରାମର୍ଶ କରିଛନ୍ତି।

ସମ୍ବନ୍ଧିତ ଖବର