ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ମଣିଷର ଫୁସଫୁସରେ ବୈଜ୍ଞାନିକମାନେ ମାଇକ୍ରୋପ୍ଲାଷ୍ଟିକ୍ କଣିକା ପାଇଛନ୍ତି। ଯାହା ସୂଚାଇ ଦେଉଛି ଯେ ଆମେ ଜାଣିଶୁଣି ଏହି ବିପଜ୍ଜନକ ପଦାର୍ଥକୁ ନିଶ୍ୱାସରେ ନେଉଛୁ। ନୂତନ ଅଧ୍ୟୟନରୁ ଜଣାପଡ଼ୁଛି ଏହା ଶ୍ବାସକ୍ରିୟା ଉପରେ ବିପଦଜନକ ପ୍ରଭାବ ପକାଇପାରେ, ଯାହା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ।
ହଲ୍ ୟର୍କ ମେଡିକାଲ୍ ସ୍କୁଲ୍ ଓ ୟୁନିଭରସିଟି ଅଫ ହଲର ବୈଜ୍ଞାନିକମାନେ ଆମ ଫୁସଫୁସର ଗଭୀର ଅଂଶରୁ ମାଇକ୍ରୋପ୍ଲାଷ୍ଟିକ୍ କଣିକା ମିଳିଥିବାର ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ୧୩ଟି ଫୁସଫୁସ ଟିସୁ ଉପରେ କରାଯାଇଥିବା ଅଧ୍ୟୟନରେ ୧୧ ଟି ନମୁନାରେ ୩୯ଟି ମାଇକ୍ରୋପ୍ଲାଷ୍ଟିକ୍ ମିଳିଥିଲା।
ତେବେ ଫୁସଫୁସର ଉପର ଭାଗରେ ୧୧ ଟି ମାଇକ୍ରୋପ୍ଲାଷ୍ଟିକ୍ କଣିକା, ମଧ୍ୟ ଭାଗରେ ୭ ଟି ଏବଂ ତଳ ଭାଗରେ ୨୧ଟି ମାଇକ୍ରୋପ୍ଲାଷ୍ଟିକ୍ କଣିକା ମିଳିଥିଲା। ବୈଜ୍ଞାନିକମାନଙ୍କ ଏହି ଅଧ୍ୟୟନ ଜରନାଲ ସାଇନ୍ସ ଅଫ ଦ ଟୋଟାଲ ଏନଭାୟରମେଣ୍ଟରେ ଛପା ହୋଇଛି।
ମାଇକ୍ରୋପ୍ଲାଷ୍ଟିକ୍ ଜୀବନ୍ତ ଲୋକଙ୍କ ଫୁସଫୁସରେ ଦେଖାଯିବା ଘଟଣା ହେଉଛି ପ୍ରଥମ। ରୋଗୀଙ୍କ ଅସ୍ତ୍ରୋପଚାର ସମୟରେ ଏଗୁଡିକ ସଂଗ୍ରହ କରାଯାଇଥିଲା । ଏବେ ବି ଉକ୍ତ ରୋଗୀ ଜୀବିତ ଅଛନ୍ତି। ବୈଜ୍ଞାନିକମାନେ ୧୨ ଟି ବିଭିନ୍ନ ପ୍ରକାରର ମାଇକ୍ରୋପ୍ଲାଷ୍ଟିକ୍ ଆବିଷ୍କାର କରିଛନ୍ତି । ଯାହାର ଅନେକ ବ୍ୟବହାର ରହିଛି। ଯାହାକି ସାଧାରଣତଃ ପ୍ୟାକେଜିଂ, ବୋତଲ, ପୋଷାକ, ଦଉଡି ଏବଂ ଅନେକ ଉତ୍ପାଦନ ପ୍ରକ୍ରିୟାରେ ମିଳିଥାଏ । ମହିଳାମାନଙ୍କ ଅପେକ୍ଷା ପୁରୁଷ ରୋଗୀଙ୍କ କ୍ଷେତ୍ରରେ ମାଇକ୍ରୋପ୍ଲାଷ୍ଟିକର ମାତ୍ରା ଅଧିକ ଥିବା ବୈଜ୍ଞାନିକମାନେ କହିଛନ୍ତି।
କିଛି ଦିନ ପୂର୍ବରୁ ମଣିଷର ରକ୍ତରେ ମାଇକ୍ରୋପ୍ଲାଷ୍ଟିକ୍ କଣିକା ମଧ୍ୟ ମିଳିଥିଲା । ଏଥିରୁ ବୈଜ୍ଞାନିକମାନେ ଅନୁମାନ କରିଥିଲେ ଯେ ପ୍ଲାଷ୍ଟିକ୍ ଧୀରେ ଧୀରେ ଆମ ଶରୀରରେ ବ୍ୟାପିବାରେ ଲାଗିଛି।