ନୂଆଦିଲ୍ଲୀ: ଅନେକ ଯୁଗ ପୂର୍ବେ ପୃଥିବୀରେ ହିମାଳୟ ପର୍ବତ ଶ୍ରେଣୀଠାରୁ ପ୍ରାୟ ୪ଗୁଣ ଦୀର୍ଘତର ପର୍ବତ ଶ୍ରେଣୀର ଥିଲା ବୋଲି ଗବେଷକମାନେ ଜାଣିପାରିଛନ୍ତି। ପୃଥିବୀ ଇତିହାସରେ ମାତ୍ର ୨ ଥର ଗଠିତ ହୋଇଥିବା ଏହି ଦୀର୍ଘ ପର୍ବତଶ୍ରେଣୀ ବା ‘ସୁପର୍ ମାଉଣ୍ଟେନ୍’ ପୃଥିବୀର ବିବର୍ତ୍ତନରେ ଅନେକ ସହାୟକ ହୋଇଥିବା କଥା ମଧ୍ୟ ସେମାନେ କହିଛନ୍ତି।
ସମ୍ପ୍ରତି ହିମାଳୟ ପର୍ବତଶ୍ରେଣୀର ଦୈର୍ଘ୍ୟ ୨,୩୦୦ କିଲୋମିଟର୍ ଥିବା ବେଳେ ବିଲୁପ୍ତ ହୋଇଯାଇଥିବା ‘ସୁପର୍ମାଉଣ୍ଟେନ୍’ର ଦୈର୍ଘ୍ୟ ଥିଲା ୮୦୦୦ କିଲୋମିଟର୍। ପ୍ରଥମ ‘ସୁପର୍ମାଉଣ୍ଟେନ୍’ ୨,୦୦୦ରୁ ୧୮,୦୦ ନିୟୁତ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ବେଳେ ଦ୍ବିତୀୟଟି ୬୫୦ରୁ ୫୦୦ ନିୟୁତ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା।
ଗବେଷକମାନଙ୍କର ବିଶ୍ବାସ ଉକ୍ତ ଦୁଇ ‘ସୁପର୍ମାଉଣ୍ଟେନ୍’ ହେଉଛି ବିଶ୍ବ ଇତିହାସରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିବର୍ତ୍ତନକାଳୀନ ସମୟ।
‘ଆର୍ଥ ଆଣ୍ଡ୍ ପ୍ଲାନେଟେରି ସାଇନ୍ସ୍ ଲେଟର୍ସ’ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଉଲ୍ଲେଖ ଅଛି, ବିଲୁପ୍ତ ପର୍ବତ ଶ୍ରେଣୀର ଚିହ୍ନଟ ପାଇଁ ଗବେଷକମାନେ ନିମ୍ନମାତ୍ରାରେ ‘ଲ୍ୟୁଟେଟିୟମ୍’ ଥିବା ‘ଜାଇକନ୍’ ବ୍ୟବହାର କରିଥିଲେ। ଭୀଷଣ ଚାପ ଯୋଗୁଁ ସୃଷ୍ଟି ହୋଇଥିବା ସୁଉଚ୍ଚ ପର୍ବତ ଶ୍ରେଣୀର ମୂଳରେ ହିଁ କେବଳ ଉପରୋକ୍ତ ଖଣିଜ ଲବଣ ଓ ବିରଳ ମୃତ୍ତିକା ଉପାଦାନର ମିଶ୍ରଣ ମିଳିଥାଏ।
/sambad/media/post_attachments/wp-content/uploads/2022/02/sumo-1024x576.jpg)
ଉପରୋକ୍ତ ଦୁଇ ‘ସୁପର୍ମାଉଣ୍ଟେନ୍’ରୁ ପ୍ରଥମଟିକୁ ‘ନ୍ୟୁନା ସୁପର୍ମାଉଣ୍ଟେନ୍’ କୁହାଯାଉଛି। ଉଦ୍ଭିଦ ଓ ପ୍ରାଣୀମାନଙ୍କ ଅଭିବୃଦ୍ଧି ନିମନ୍ତେ ସହାୟକ ହୋଇଥିବା ଅଣୁଜୀବ ‘ୟୁକେର୍ୟୋଟ୍ସ୍’ ପ୍ରକଟ ହେବା ସମୟରେ ‘ନ୍ୟୁନା ସୁପର୍ମାଉଣ୍ଟେନ୍’ ସୃଷ୍ଟି ହୋଇଥିଲା।
ଦ୍ବିତୀୟ ‘ସୁପର୍ମାଉଣ୍ଟେନ୍’କୁ ‘ଟ୍ରାନ୍ସ୍ଗଣ୍ଡୱାନା ସୁପର୍ମାଉଣ୍ଟେନ୍’ କୁହାଯାଉଛି। ତାହା ପ୍ରଥମ ବିଶାଳକାୟ ଜନ୍ତୁ ପ୍ରକଟ ହେବା ସମୟରେ ସୃଷ୍ଟି ହୋଇଥିଲା। ଏହାର ୪୫ ନିୟୁତ ବର୍ଷ ପରେ ‘କେମ୍ବ୍ରିଆନ୍’ ବିସ୍ଫୋରଣ ଘଟିଥିଲା ବୋଲି ଜୀବଶ୍ମ ରେକର୍ଡରୁ ସନ୍ଧାନ ମିଳୁଥିବା ପ୍ରାଣୀଙ୍କ ଅବଶେଷରୁ ଜଣାପଡ଼େ।
ଉପରୋକ୍ତ ଦୁଇଟି ପର୍ବତ ଶ୍ରେଣୀ ସମୁଦ୍ରଗୁଡ଼ିକୁ ଫସ୍ଫରସ୍ ଏବଂ ଆଇରନ୍ ଭଳି ଅତ୍ୟାବଶ୍ୟକ ପୋଷକତତ୍ତ୍ବ ଯୋଗାଇଥିଲେ। ଫଳରେ ଜୈବଚକ୍ର ‘ସୁପର୍ଚାର୍ଜ’ ହୋଇ ବିବର୍ତ୍ତନକୁ ଅଧିକ ଜଟିଳ କରି ପକାଇଥିଲା। ଜୀବନ ଧାରଣ ନିମନ୍ତେ ଆବଶ୍ୟକ ବାୟୁମଣ୍ଡଳର ଅମ୍ଳଜାନସ୍ତରକୁ ମଧ୍ୟ ଉକ୍ତ ‘ସୁପର୍ମାଉଣ୍ଟେନ୍’ ଦୁଇଟି ବଢ଼ାଇ ଦେଇ ଥାଇ ପାରନ୍ତି ବୋଲି ସେମାନେ ଅନୁମାନ କରୁଛନ୍ତି।