କୋଭିଡ୍-୧୯ ବିପକ୍ଷରେ ବୈଜ୍ଞାନିକମାନ‌େ ଚିହ୍ନଟ କରିଛନ୍ତି ଅତି ଫଳପ୍ରଦ ଆଣ୍ଟିବଡି ଯାହା ପ୍ରାକୃତିକ ଟିକା ଭଳି କାର୍ଯ୍ୟ କରିପାରେ

ନୂଆଦିଲ୍ଲୀ: କୋଭିଡ୍-୧୯ ଟିକା ଲାଗି ବିଶ୍ବବ୍ୟାପୀ ଉଦ୍ୟମ ଚାଲିଥିବା ବ‌େଳେ ବୈଜ୍ଞାନିକମାନେ ଅତି ଫଳପ୍ରଦ ଆଣ୍ଟିବଡି ଚିହ୍ନଟ କରିଛନ୍ତି, ଯାହା ଅଭିନବ କରୋନାଭାଇରସ୍ ବିପକ୍ଷରେ ‘ପାସିଭ୍ ଭ୍ୟାକ୍ସିନ୍’ ବା ପ୍ରାକୃତିକ ଟିକା ପ୍ରସ୍ତୁତି କିରିବାରେ ସହାୟକ ହୋଇପାରେ।

ଗବେଷକମାନ‌େ କହନ୍ତି ଯେ, ‘ଆକ୍ଟିଭ୍ ଭ୍ୟାକ୍ସିନ୍’ ବା ଆଣ୍ଟିଜେନ୍ ଥିବା ଟିକା ଠାରୁ ଏହା ଅନେକ ଗୁଣରେ ଭିନ୍ନ। ‘ପାସିଭ୍ ଭ୍ୟାକ୍ସିନ୍’ରେ ପୂର୍ବରୁ ପ୍ରସ୍ତୁତ ଥିବା ଆଣ୍ଟିବଡି ପ୍ରୟୋଗ କରାଯାଇଥାଏ। କିଛି ଦିନ ପରେ ଏହାର କାର୍ଯ୍ୟଦକ୍ଷତା କ୍ରମଶଃ ହ୍ରାସ ପାଉଥିଲେ ବି ଏହା ତୁରନ୍ତ କାର୍ଯ୍ୟ କରିଥାଏ। କିନ୍ତୁ, ‘ଆକ୍ଟିଭ୍ ଭ୍ୟାକ୍ସିନ୍’ ଶରୀର ମଧ୍ୟରେ ବହୁଗୁଣିତ ହେବା ପରେ ଯାଇ କାର୍ଯ୍ୟ ଆରମ୍ଭ କରିଥାଏ।

‘ସେଲ୍’ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏହି ଗବେଷଣା ଆଲେଖ୍ୟରେ ଦର୍ଶାଯାଇଛି ଯେ, କେତେକ କରୋନାଭାଇରସ୍ ଆଣ୍ଟିବଡି ଏକାଧିକ ଅଙ୍ଗର ଟିସୁ ନମୁନା ସହ ବାନ୍ଧି ହୋଇ ରହିଥାଏ, ଯାହା ଅବାଞ୍ଛିତ ପାର୍ଶ୍ବ ପ୍ରତିକ୍ରିୟାକୁ ସକ୍ରିୟ କରାଇପାରେ।

Image Courtesy of India Today

କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତି ବିଶେଷଙ୍କ ରକ୍ତରୁ ‘ଜର୍ମାନ୍ ସେଣ୍ଟର୍‌ ଫର୍ ନ୍ୟୁରୋଡିଜେନେରେଟିଭ୍ ଡିଜିଜ୍’ ଏବଂ ‘ଚେରାଇଟ୍-ୟୁନିଭର୍ସିଟାଟ୍ସ୍‌ ବର୍ଲିନ୍’ ପ୍ରାୟ ୬୦୦ ଭିନ୍ନ ଭିନ୍ନ ଆଣ୍ଟିବଡିଗୁଡ଼ିକୁ ପୃଥକ୍ କରିଥିଲେ।

ଲାବ୍ରଟରି ପରୀକ୍ଷା ଦ୍ବାରା ସେମାନେ ୬୦୦ ଆଣ୍ଟିବଡିରୁ ଭୂତାଣୁକୁ ବନ୍ଧନ କରିବା ଭଳି ସ୍ବଳ୍ପ କେତୋଟି ଆଣ୍ଟିବଡି ଚିହ୍ନଟ କରିଥିଲେ। ଏହା ପରେ ଜୀବକୋଷ କଲ୍‌ଚର୍ ଜରିଆରେ ଗବେଷକମାନେ କୃତ୍ରିମ ଉପାୟରେ ଏହି ସବୁ ଆଣ୍ଟିବଡି ଉତ୍ପାଦନ କରିଥିଲେ।

‘କ୍ରି‌ଷ୍ଟାଲୋଗ୍ରାଫିକ୍’ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଏହି ତଥାକଥିତ ନିଷ୍କ୍ରିୟକାରୀ ଆଣ୍ଟିବଡି ଭୂତାଣୁ ସହ ବାନ୍ଧି ହୋଇଯାଉଥିବା ‌କାରଣରୁ ଭୂତାଣୁ ଜୀବକୋଷ ମଧ୍ୟକୁ ପ୍ରବେଶ କରିପାରେ ନାହିଁ, କି, ବଂଶବିସ୍ତାର କରିପାରେ ନାହିଁ।

ଏହା ବ୍ୟତୀତ, ଭୂତାଣୁ ଚିହ୍ନଟ କରୁଥିବା ଆଣ୍ଟିବଡି ଭୂତାଣୁକୁ ନଷ୍ଟ କରିବାକୁ ‌ରୋଗପ୍ରତିରୋଧକ କୋଷିକାଗୁଡ଼ିକୁ ସହାୟତା କରେ। ‘ହାମ୍‌ଷ୍ଟର୍‌’ଙ୍କ (ଏକ ଜାତୀୟ କୃଦନ୍ତ ବା ମୂଷାଜାତୀୟ ଜୀବ) ଶରୀରରେ ପ୍ରୟୋଗ କରି ଏହି ନିର୍ବାଚିତ ଆଣ୍ଟିବଡିଗୁଡ଼ିକର ଉଚ୍ଚ ଫଳପ୍ରଦତା ବିଷୟରେ ବୈଜ୍ଞାନିକମାନେ ସୁନିଶ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର