କୋଲକାତାରେ ଥିବା ଭାରତର ଏକମାତ୍ର ‘ସମୁଦ୍ର ନଡ଼ିଆ’ ଗଛକୁ ବଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି ବୈଜ୍ଞାନିକ

କୋଲକାତା: କୋଲକାତାସ୍ଥିତ ୨୩୨ ବର୍ଷ ପୁରୁଣା ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ଇଣ୍ଡିଆନ୍‌ ବଟାନିକ୍‌ ଗାର୍ଡେନ୍‌ରେ ଥିବା ଭାରତର ଏକ ମାତ୍ର ‘ଡବଲ୍‌-କକୋନଟ୍‌’, ‘ଯାଉଁଳି ନଡ଼ିଆ’ ବା ‘ସମୁଦ୍ର ନଡ଼ିଆ’ ଗଛକୁ ବଞ୍ଚାଇବାକୁ ବୈଜ୍ଞାନିକମାନେ ଉଦ୍ୟମ ଚଳାଇଛନ୍ତି।

୧୨୫ ବର୍ଷର ଏହି ମାଈ ‘ସମୁଦ୍ର ନଡ଼ିଆ’ ଗଛଟି ୧୮୯୪ ମସିହାରେ ଇଂରେଜମାନେ ଏଠାରେ ରୋପଣ କରିଥିଲେ। ମରି ଆସୁଥିବାରୁ ତାହାକୁ ଏବେ ବଟାନିକାଲ୍‌ ଇଣ୍ଟେନ୍‌ସିଭ୍‌ କେଆର୍‌ ୟୁନିଟ୍‌ରେ ରଖାଯାଇଛି।

ଏ ଗଛରେ ଫଳ ଫଳୁଛି ସତ କିନ୍ତୁ, ଏ ପର୍ଯ୍ୟନ୍ତ କୌଣସି ଫଳ ପୋଖତ ହୋଇ ନାହିଁ। ଉଦ୍ୟାନର କ୍ୟୁରାଟର୍‌ ଏସ୍‌ ଏସ୍‌ ହମିଦ କହନ୍ତି: ଗଛ ମରିବା ଆଗରୁ ଫଳ ପୋଖତ ହୋଇଗଲେ ସେଇ ଫଳରୁ ନୂଆ ଗଛ ଉତାରି ହୁଅନ୍ତା। ଏମିତି ହୋଇ ପାରିଲେ ଦେଶରେ ଆଉ ଗୋଟିଏ ସମୁଦ୍ର ନଡ଼ିଆ ଗଛ ହୋଇ ପାରନ୍ତା। ସେମିତି ନ ହୋଇ ଗଛ ମରିଗଲେ ଦେଶରେ ଆଉ ଏ ଭଳି ଗଛ ରହିବ ନାହିଁ।

‘ଡବଲ୍‌ କକୋନଟ୍‌’ ବା ‘ସମୁଦ୍ର ନଡ଼ିଆ’ କେବଳ ସେସେଲ୍‌ସ୍‌ର ଦୁଇଟି ଦ୍ୱୀପରେ ଦେଖାଯାଏ। ସେଠାରୁ ସେଗୁଡ଼ିକୁ ଇଂରେଜମାନେ ଭାରତ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ୍‌ରେ ରୋପଣ କରିଥିଲେ।

୧୨୦୦ ବର୍ଷ ଯାଏଁ ଜିଇଁ ରହୁଥିବା ଏହି ଗଛରେ ୨୫ କିଲୋ ଓଜନବିଶିଷ୍ଟ ଫଳ ଧରିପାରେ। କିନ୍ତୁ, ଭିନ୍ନ ଜଳବାୟୁ ଓ ମୃତ୍ତିକାରେ ବଢୁଥିବାରୁ ଏ ଗଛର ପରମାୟୁ ଏତେ ଦିନ ହୋଇ ନ ପାରେ ବୋଲି ମନେହେଉଛି।

ବର୍ଷେ ହେବ ଗଛରେ ନୂଆ ପତ୍ର କଅଁଳି ନାହିଁ। ଯାହାକିଛି ପତ୍ର ଅଛି ସେ ସବୁ ହଳଦିଆ ପଡ଼ିଗଲାଣି। ଏହାହିଁ ଚିନ୍ତାର କାରଣ ବୋଲି ହମିଦ କହନ୍ତି।
୨୦୧୩ରେ ସେ ଗଛରେ ଫଳ ଧରିଥିଲା। ଏଯାଏଁ ସବୁଠୁ ଅଧିକ ପୋଖତ ହୋଇଥିବା ଫଳକୁ ୬ ବର୍ଷ ହେଲାଣି। ତାହା ଭଲକି ପୋଖତ ହେବାକୁ ଆଉ ବର୍ଷେ ପାଖାପାଖି ଲାଗିପାରେ। ଏହା ପରେ ଯାଇ ବୈଜ୍ଞାନିକମାନେ ସେଥିରୁ ମଞ୍ଜି କାଢ଼ି ପାରିବେ।

୯୪ ବର୍ଷ ବୟସରେ ଏ ଗଛରେ ପ୍ରଥମେ ଫୁଲ ଧରିଥିଲା। ସେତେବେଳେ ଯାଇ ଜଣାପଡ଼ିଲା ତାହା ମାଈଗଛ। ପରାଗଯୋଗ ପାଇଁ ଅଣ୍ଡିରାଗଛ ଖୋଜା ହେବାରୁ ତାହା ମିଳିଲା ଶ୍ରୀଲଙ୍କାର ରୟାଲ୍‌ ବଟାନିକ୍‌ ଗାର୍ଡେନ୍‌ରେ। ସେଠାରୁ ପରାଗରେଣୁ ଅଣାଯାଇ କୃତ୍ରିମ ଉପାୟରେ ୨୦୦୬ରେ ପରାଗଯୋଗ କରାଗଲା। କିନ୍ତୁ, ସେ ଉଦ୍ୟମ ବୃଥା ହେଲା। ୨୦୧୩ରେ ଥାଇଲାଣ୍ଡ୍‌ରୁ ପରାଗରେଣୁ ଅଣାଯାଇ ପରାଗଯୋଗ କରାଗଲା। ଏହା ସଫଳ ହେଲା ଓ ଗଛରେ ଫଳ ଫଳିଲା।

ଗଛଟି କୌଣସି ରୋଗପୋକ ଦ୍ୱାରା ସଂକ୍ରମିତ ହୋଇ ନାହିଁ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଗଛଟିକୁ ବଞ୍ଚାଇ ରଖିବାକୁ ଉଦ୍ଭିଦ ବିଜ୍ଞାନୀମାନେ ସବୁମତେ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର