ବେକରେ ଫୁଲ ନୁହେଁ ଲେମ୍ବୁ- ଲଙ୍କାର ମାଳା ପକାଇ ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର କରୁଛନ୍ତି କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ (ମଧ୍ୟପ୍ରଦେଶ): ସାଧାରଣତଃ ନିର୍ବାଚନ କାଳରେ ଦଳ ପାଇଁ ପ୍ରଚାର କାର୍ଯ୍ୟରେ ନିୟୋଜିତ ଥିବା ଓ ଭୋଟ ମାଗିବା ପାଇଁ ଲୋକମାନଙ୍କ ଦ୍ୱାରସ୍ଥ ହେଉଥିବା ନେତାମାନେ ସେମାନଙ୍କ ପରିଧାନ, କାନ୍ଧରେ ପକାଇଥିବା ଉତ୍ତରୀୟ ଓ ବେକରେ ପକାଇଥିବା ଫୁଲମାଳ ପ୍ରତି ଅଧିକ ମାତ୍ରାରେ ସଚେତନ ଥାଆନ୍ତି। ତେବେ, ସଂପ୍ରତି ମଧ୍ୟପ୍ରଦେଶରେ କଂଗ୍ରେସ ପାଇଁ ପ୍ରଚାର କାର୍ଯ୍ୟରେ ନିୟୋଜିତ ଥିବା ଦଳୀୟ ନେତା ତଥା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ବେକରେ ଫୁଲମାଳ ବା ଗଜରା ପରିବର୍ତ୍ତେ ଲେମ୍ବୁ ଓ ଲଙ୍କାରେ ଗୁନ୍ଥା ଯାଇଥିବା ମାଳାକୁ ବେକରେ ପକାଇ ଦଳ ପାଇଁ ପ୍ରଚାର ଅଭିଯାନରେ ବାହାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଏ ଘଟଣାରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି) ଓ ଏହାର ନେତା ଶିବରାଜ ସିଂହ ଚୌହାନ୍‌। ତେବେ, ବିଜେପି ନେତା ଚୌହାନ୍‌ଙ୍କୁ ଏହାର ଜବାବ୍‌ ଦେବାକୁ ଯାଇ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ କହିଛନ୍ତି ଯେ ମୁଁ ପକାଇଥିବା ମାଳା ‘ଲେମ୍ବୁ ଏବଂ ଲଙ୍କା’ରେ ଗୁନ୍ଥା ହେଉ କି ‘ଆଳୁ ଏବଂ ପିଆଜ’ରେ ଗୁନ୍ଥା ହେଉ ଏଥିରେ କିନ୍ତୁ ‘ଭୋଟରଙ୍କ ଆଶୀର୍ବାଦ’ ଗୁନ୍ଥା ହୋଇ ରହିଛି। ମୁଁ ପକାଇଥିବା ମାଳାକୁ ନେଇ ତୁମେ ଏତେ ଚିନ୍ତିତ ଓ ବିବ୍ରତ କାହିଁକି? ତୁମ ମାଳା କଥା ଆଗ ତୁମେ ବୁଝ ବୋଲି ଶିବରାଜଙ୍କୁ ପରାମର୍ଶ ଦେଇଛନ୍ତି ଜ୍ୟୋତିରାଦିତ୍ୟ।

ସମ୍ବନ୍ଧିତ ଖବର