ମଧ୍ୟପ୍ରଦେଶ: ୫୩ ବର୍ଷପରେ ହେଲା ଇତିହାସର ପୁନରାବୃତ୍ତି; ସେତେବେଳେ ନାୟକ ଥିଲେ ରାଜମାତା ଆଉ ଏବେ ଖୋଦ୍‌ ମହାରାଜା…

ଭୋପାଳ/ ଗୋଓ୍ଵାଲିୟର: ସଂପ୍ରତି ମଧ୍ୟପ୍ରଦେଶ ରାଜନୀତିରେ ଯେଉଁ ନାଟକ ଅଭିନୀତ ହେବାକୁ ଯାଉଛି, ତାହା ମଧ୍ୟପ୍ରଦେଶ ରାଜନୀତିରେ କିଛି ନୂଆ କଥା ନୁହେଁ। ପୂର୍ବରୁ, ୫୩ ବର୍ଷ ପୂର୍ବେ ୧୯୬୭ ସାଲରେ ଠିକ୍‌ ଏଇ ଧରଣର ରାଜନୈତିକ ନାଟକ ମଧ୍ୟ ଅଭିନୀତ ହୋଇଥିଲା ମଧ୍ୟପ୍ରଦେଶରେ।

ସେତେବେଳେ ଅଭିନୀତ ହୋଇଥିବା ନାଟକର ମୁଖ୍ୟ ଚରିତ୍ରରେ ଗୋଓ୍ଵାଲିୟରର ରାଜମାତା ବିଜୟା ରାଜେ ରହିଥିବା ବେଳେ ଏବର ନାଟକର ମୁଖ୍ୟ ଚରିତ୍ରରେ ରହିଛନ୍ତି ଗୋଓ୍ଵାଲିୟରର ମହାରାଜା ଖୋଦ୍‌ ଜ୍ୟୋତିରାଦିତ୍ୟ ସିନ୍ଧିଆ।

Prajabani

ଇତିହାସ କହେ, ତତ୍କାଳୀନ କଂଗ୍ରେସ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜଣେ ଘନିଷ୍ଠ ସହଯୋଗୀ ରୂପେ ବିବେଚିତ ହେଉଥିବା ରାଜମାତା ବିଜୟା ରାଜେ କଂଗ୍ରେସ ସାଂସଦ ରୂପେ ପ୍ରଥମେ ଗୁନା ଓ ପରେ ଗୋଓ୍ଵାଲିୟରରୁ ନିର୍ବାଚିତ ହୋଇଥିଲେ। ପରେ, ୧୯୬୭ରେ ତାଙ୍କର କିଛି ସମର୍ଥକଙ୍କୁ ଲୋକସଭା ଟିକେଟ ଦେବା ପାଇଁ ଅନୁରୋଧ କରିବାକୁ ତତ୍କାଳୀନ ମଧ୍ୟପ୍ରଦେଶର କଂଗ୍ରେସ ମୁଖ୍ୟମନ୍ତ୍ରୀ ଡିପି ମିଶ୍ରଙ୍କୁ ଦେଖା କରିବାକୁ ଯାଇଥିଲେ। ମାତ୍ର, ଦୀର୍ଘ ଦୁଇଘଣ୍ଟା କାଳ ଅପେକ୍ଷା କଲାପରେ ମଧ୍ୟ ମୁଖ୍ୟମନ୍ତ୍ରୀ ମିଶ୍ର ରାଜମାତା ରାଜେଙ୍କୁ ସାକ୍ଷାତ ଦେଇ ନଥିଲେ। ଫଳରେ ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ରାଜମାତା ବିଜୟା ରାଜେ ତାଙ୍କର ସମର୍ଥକ ଥିବା ୩୬ ଜଣ ବିଧାୟକଙ୍କୁ ଧରି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଏବଂ ମଧ୍ୟପ୍ରଦେଶରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଡିପି ମିଶ୍ରଙ୍କ ସରକାରର ପତନର କାରଣ ସାଜିଥିଲେ।

ଠିକ୍‌ ସମାନ ଢ଼ଙ୍ଗରେ ଏବେ ରାଜ୍ୟସଭା ଯିବାକୁ ଆଶା ବାନ୍ଧିଥିବା ତାଙ୍କର ନାତି ତଥା ଗୋଓ୍ଵାଲିୟରର ମହାରାଜା ଜ୍ୟେତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ ପାଇଁ ଦୀର୍ଘ ଦୁଇମାସ କାଳ ଅପେକ୍ଷା କରି ବିଫଳ ହେବାପରେ ତାଙ୍କର ସମର୍ଥକ ଥିବା ୨୨ ଜଣ ବିଧାୟକଙ୍କୁ ଧରି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଏବଂ ମଧ୍ୟପ୍ରଦେଶରେ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାରର ପତନର କାରଣ ସାଜିଛନ୍ତି।

ସମ୍ବନ୍ଧିତ ଖବର