ସମରକନ୍ଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଉଜ୍ବେକିସ୍ତାନରେ ଏସ୍ସିଓ (ସାଂଘାଇ ସହଯୋଗ ସଂଗଠନ) ସମ୍ମିଳନୀରେ ଉଦ୍ବୋଧନ ଦେଇ ବିଭିନ୍ନ ବୈଶ୍ବିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ମୋଦୀ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ନିରାପତ୍ତା ସଙ୍କଟ, ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଆଦି ପ୍ରସଙ୍ଗରେ ଏସ୍ସିଓ ବଡ଼ ଭୂମିକା ନେବାକୁ ଆହ୍ବାନ ଦେଇଛନ୍ତି। ବୈଶ୍ବିକ ଖାଦ୍ୟ ନିରାପତ୍ତା ଦିଗରେ ଥିବା ଚ୍ୟାଲେଂଜକୁ ନିୟନ୍ତ୍ରଣ କରିବାପାଇଁ ଜରୁରୀ ପଦକ୍ଷେପ ଗ୍ରହଣ ଉପରେ ମୋଦୀ ଗୁରୁତ୍ବାରୋପ କରିଛନ୍ତି। ଏହି ପ୍ରସଙ୍ଗରେ ମୋଦୀ ମିଲେଟ୍ (ମାଣ୍ଡିଆ, ବାଜରା ଆଦି ଶସ୍ୟ) କଥା ଉଠାଇଛନ୍ତି। ନାଗରିକଙ୍କୁ ଖାଦ୍ୟ ସୁରକ୍ଷା ନିଶ୍ଚିତ କରାଇବା ଏବେ ଏକ ବୈଶ୍ବିକ ଚ୍ୟାଲେଞ୍ଜ ପାଲଟିଛି। ଏହି ସମସ୍ୟାର ଏକ ସମ୍ଭାବ୍ୟ ସମାଧାନ ହେଉଛି ଭାରତ ମିଲେଟ୍ ଉତ୍ପାଦନ ବୃଦ୍ଧି କରିବ। ମିଲେଟ୍ ଖାଦ୍ୟ ସଙ୍କଟର ଏହା ଏକ ବିକଳ୍ପ ହୋଇପାରିବ।
ମୋଦୀ କହିଛନ୍ତି, ଆଗାମୀ ୨୦୨୩କୁ ‘ୟୁଏନ୍ ଇଣ୍ଟରନ୍ୟାସନାଲ୍ ଇୟର ଅଫ୍ ମିଲେଟ୍ସ’ ଭାବେ ପାଳନ କରାଯିବ। ଏସ୍ସିଓ ଅଧୀନରେ ଆମେ ‘ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍’ ପରିଚାଳନା ଦିଗରେ ବିଚାରବିମର୍ଶ କରିବା ଉଚିତ। ଏସ୍ସିଓ ସମ୍ମିଳନୀ ପରେ ଏକ ଟ୍ବିଟ୍ କରି ମୋଦୀ କହିଛନ୍ତି, ମାଣ୍ଡିଆକୁ ପୁଣି ଲୋକପ୍ରିୟ କରାଇବା ସଂକ୍ରାନ୍ତରେ ଭାରତର ଉଦ୍ୟମ କଥା କହିଛି। ଏସ୍ସିଓ ସମ୍ମିଳନୀରେ ମୋଦୀ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ମୋଦୀ କହିଛନ୍ତି, ବିଶ୍ବ କରୋନା ମହାମାରୀ, ୟୁକ୍ରେନ୍ ଯୁଦ୍ଧ ଭଳି ବିଭିନ୍ନ ସଙ୍କଟର ସମ୍ମୁଖୀନ ହୋଇଛି। ଏଥିଯୋଗୁଁ ବୈଶ୍ବିକ ଯୋଗାଣ ବ୍ୟବସ୍ଥାରେ ବାଧା ଉପୁଜିଛି। ତେବେ ଆମେ ଭାରତକୁ ଏକ ନିର୍ମାଣ ହବ୍ କରିବା ଦିଗରେ କାର୍ଯ୍ୟ କରୁଛୁ। ଭାରତର ଯୁବ କର୍ମବୀର ଆମକୁ ଏଦିଗରେ ଅଧିକ ପ୍ରତିଯୋଗୀ କରାଇଛନ୍ତି। ଆମେ ପ୍ରତି କ୍ଷେତ୍ରରେ ନୂଆ ଉଦ୍ଭାବନ ପାଇଁ ଉତ୍ସାହ ସୃଷ୍ଟି କରୁଛୁ। ଏବେ ଭାରତରେ ୭୦ ହଜାରରୁ ଅଧିକ ଷ୍ଟାର୍ଟଅପ୍ ଅଛି ଏବଂ ଏହି ଅଭିଜ୍ଞତା ଏସ୍ସିଓ ରାଷ୍ଟ୍ର ପାଇଁ ଉପଯୋଗୀ ହୋଇପାରିବ। ଭାରତର ଅର୍ଥନୀତି ଚଳିତ ବର୍ଷ ୭.୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।
ମୋଦୀ କହିଛନ୍ତି, ସମଗ୍ର ବିଶ୍ବରେ କେବଳ ଭାରତରେ ସ୍ବାସ୍ଥ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ କମ୍ ଖର୍ଚ୍ଚ କରିବାକୁ ପଡ଼ୁଛି। ପାରମ୍ପରିକ ଔଷଧ ଦିଗରେ ସହଯୋଗ ବୃଦ୍ଧି ପାଇଁ ମଧ୍ୟ ମୋଦୀ ଏସ୍ସିଓ ସଦସ୍ୟ ରାଷ୍ଟ୍ରଙ୍କୁ କହିଛନ୍ତି। ୨୦୨୩ ଏସ୍ସିଓ ସମ୍ମିଳନୀ ଭାରତରେ ହେବ ବୋଲି ଚୂଡ଼ାନ୍ତ ହୋଇଥିବାରୁ ବୈଠକରେ ସଦସ୍ୟ ରାଷ୍ଟ୍ରମାନେ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଶୁଭେଚ୍ଛା ଓ ସମର୍ଥନ ଜଣାଇଛନ୍ତି।