ନୂଆଦିଲ୍ଲୀ : ଗୋଆରେ ଆଜି ଅନୁଷ୍ଠିତ ଏସ୍ସିଓ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଭାରତ-ପାକିସ୍ତାନ ପରସ୍ପରକୁ କଡ଼ା କଟାକ୍ଷ କରିଛନ୍ତି। ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ଏସ୍ସିଓ ସମ୍ମିଳନୀରେ ସୀମାପାର ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ବେଳେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ କହିଛନ୍ତି, କୂଟନୈତିକ ସ୍ବାର୍ଥ ସାଧନ ପାଇଁ ଆତଙ୍କବାଦକୁ ଅସ୍ତ୍ର କରିବା ଉଚିତ ନୁହେଁ। ଏସ୍ସିଓ ବୈଠକରେ ବିଦେଶ ମନ୍ତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ଜୟଶଙ୍କର କହିଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସମସ୍ତ ଅର୍ଥ ଯୋଗାଣକାରୀ ଚ୍ୟାନେଲ ଗୁଡ଼ିକ ନିଷିଦ୍ଧ ହେବା ଉଚିତ।
ଏସ୍ସିଓରେ ଦ୍ବିପାକ୍ଷିକ ଏବଂ ବହୁପାକ୍ଷିକ ପ୍ରସଙ୍ଗ ଉଠାଇବାର କୌଣସି ବ୍ୟବସ୍ଥା ନଥିଲେ ବି ଦୁଇ ବିଦେଶ ମନ୍ତ୍ରୀ କୌଣସି ରାଷ୍ଟ୍ରର ନାଁ ନନେଇ ପରସ୍ପରକୁ ସମାଲୋଚନା କରିଛନ୍ତି। ବୈଠକରେ ଜୟଶଙ୍କର କହିଛନ୍ତି, ଆତଙ୍କବାଦ ପ୍ରତି ଆଖି ବୁଜିଦେବା ଦ୍ବାରା ସୁରକ୍ଷା ପାଇଁ ଏହା ବିପଜ୍ଜନକ ହେବ। ସମଗ୍ର ବିଶ୍ବ ଯେତେବେଳେ କରୋନା ମହାମାରୀ ସହ ଲଢ଼ୁଥିଲା ସେ ସମୟରେ ବି ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରହିଥିଲା। ପାକିସ୍ତାନକୁ ଇଙ୍ଗିତ କରି ଜୟଶଙ୍କର ଏହି ଟିପ୍ପଣୀ ଦେଇଛନ୍ତି। ଏସ୍ସିଓ ସମ୍ମିଳନୀରେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଙ୍କ ସମେତ ଚୀନ୍, ରୁଷ୍, କାଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ବିଦେଶ ମନ୍ତ୍ରୀଙ୍କ ଉପସ୍ଥିତିରେ ଜୟଶଙ୍କର କହିଛନ୍ତି, ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ରାଷ୍ଟ୍ର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ହେବ। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଆତଙ୍କବାଦ ବନ୍ଦ ହେବା ଉଚିତ ବୋଲି ଜୟଶଙ୍କର କହିଛନ୍ତି।
ଅନ୍ୟପକ୍ଷେ ପାକିସ୍ତାନ ବିଦେଶ ମନ୍ତ୍ରୀ ସାର୍ବଜନୀନ ନିୟମକୁ ସମ୍ମାନ ଦେବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଭୁଟ୍ଟୋ କହିଛନ୍ତି, ରାଷ୍ଟ୍ରମାନଙ୍କ ଦ୍ବାରା ଏକତରଫା ଏବଂ ବେଆଇନ ଭାବେ ଅନ୍ତର୍ଜାତୀୟ ଆଇନ ତଥା ସୁରକ୍ଷା ପରିଷଦ ପ୍ରସ୍ତାବର ଉଲ୍ଲଂଘନ ଏସ୍ସିଓର ଲକ୍ଷ୍ୟକୁ ପଥଚ୍ୟୁତ କରୁଛି। ଭାରତାର ନାମ ନନେଇ ସେ କାଶ୍ମୀର ନୀତିକୁ ଇଙ୍ଗିତ କରି ଏଭଳି ଟିପ୍ପଣି ଦେଇଥିଲେ। ପାକିସ୍ତାନରେ ଆତଙ୍କବାଦୀଙ୍କ ବର୍ବରତା ସଂପର୍କରେ ମଧ୍ୟ ସେ ବୟାନ ରଖିଥିଲେ।