ଏସ୍‌ସିଓ ପର୍ଯ୍ୟଟନ ପ୍ରଶାସନିକ ମୁଖ୍ୟଙ୍କ ସମ୍ମିଳନୀ

ଭୁବନେଶ୍ବର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ବାରଣାସୀଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ପର୍ଯ୍ୟଟନ ପ୍ରଶାସନର ମୁଖ୍ୟଙ୍କ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ କାଜାଖସ୍ତାନ ସରକାରଙ୍କ ସଂସ୍କୃତି ଓ କ୍ରୀଡ଼ା ଉପମନ୍ତ୍ରୀ ୟେରଜାନ୍ ୟର୍କିନବାଏଭ, ଚୀନ୍ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଲୁ ୟିଙ୍ଗ ଚୁଆନ୍‌, କିର୍ଗିଜ ଗଣରାଜ୍ୟର ସଂସ୍କୃତି, ସୂଚନା, କ୍ରୀଡ଼ା ଏବଂ ଯୁବ ନୀତି ଉପମନ୍ତ୍ରୀ ସାମତ ବେକଟୁରେରାଭିଚ୍‍ ସଟମାନୋଭ, ଉଜବେକିସ୍ତାନ ସରକାରଙ୍କ ସଂସ୍କୃତି ଏବଂ ପର୍ଯ୍ୟଟନ ପ୍ରଥମ ଉପମନ୍ତ୍ରୀ ଆଜାମୋଭ ଉଲୁଗବେକ୍ ଆକ୍ସମାଟୋଭିଚ୍ ଉପସ୍ଥିତ ଥିବାବେଳେ ଅନଲାଇନ୍ ମୋଡ୍ ମାଧ୍ୟମରେ ରୁଷର ଅର୍ଥନୈତିକ ବିକାଶ ମନ୍ତ୍ରଣାଳୟର ଉପମନ୍ତ୍ରୀ ଭ୍ଲାଦିମିର ଇଭେଗେନିଭିଚ୍ ଇଲିଚେଭ୍‌, ତାଜାକିସ୍ତାନ ସରକାରଙ୍କ ପର୍ଯ୍ୟଟନ ବିକାଶ କମିଟିର ଅଧ୍ୟକ୍ଷ ମୁମିନଜୋଦ କାମୋଲିଦ୍ଦିନ ଏବଂ ପାକିସ୍ତାନ ସରକାରଙ୍କ ପର୍ଯ୍ୟଟନ ଏବଂ କ୍ରୀଡ଼ା ସଂକ୍ରାନ୍ତୀୟ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଆଉନ ଚୌଧରୀ ଯୋଗଦେଇଥିଲେ । ଏହି ବୈଠକରେ ଏସ୍‌ସିଓ ସଦସ୍ୟ ଦେଶର ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ, ସାଂଘାଇ ସହଯୋଗ ସଂଗଠନର ସଚିବାଳୟର ପ୍ରତିନିଧି ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଯୋଗ ଦେଇଥିଲେ।

୨୦୨୩ ପାଇଁ କାର୍ଯ୍ୟ ଯୋଜନା ଅନୁମୋଦିତ
ଅଧ୍ୟକ୍ଷତା କଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗର ବିକାଶ ଉପରେ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ମିଳିତ କାର୍ଯ୍ୟ ଯୋଜନାକୁ ଏସ୍‍ସିଓ ପର୍ଯ୍ୟଟନ ମନ୍ତ୍ରୀମାନେ ଚୂଡ଼ାନ୍ତ ଏବଂ ଅନୁମୋଦନ କରିଛନ୍ତି । ଅନୁମୋଦିତ ମିଳିତ କାର୍ଯ୍ୟ ଯୋଜନାରେ ନିମ୍ନଲିଖିତ ଅଗ୍ରାଧିକାର ଉପାଦାନଗୁଡ଼ିକ ହେଲା, ଏସସିଓ ପର୍ଯ୍ୟଟନ ବ୍ରାଣ୍ଡର ପ୍ରଚାର, ପର୍ଯ୍ୟଟନରେ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କର ସାଂସ୍କୃତିକ ଐତିହ୍ୟର ପ୍ରଚାର, ପର୍ଯ୍ୟଟନ କ୍ଷେତ୍ରରେ ସୂଚନା ଏବଂ ଡିଜିଟାଲ୍ ଜ୍ଞାନକୌଶଳର ଅଂଶୀଦାର ଏବଂ ଆଦାନ ପ୍ରଦାନ, ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟଟନରେ ପାରସ୍ପରିକ ସହଯୋଗର ପ୍ରୋତ୍ସାହନ ଓ ସେବାଗୁଡ଼ିକର ଗୁଣବତ୍ତାର ଉନ୍ନତି କରିବା। ସହମତ ହୋଇଥିବା ମିଳିତ କାର୍ଯ୍ୟ ଯୋଜନା ଅନୁଯାୟୀ, ସଦସ୍ୟ ଦେଶମାନେ ବିଭିନ୍ନ କାର୍ଯ୍ୟକଳାପ ଯଥା ଏସ୍‍ସିଓ ପର୍ଯ୍ୟଟନ ପ୍ରଦର୍ଶନୀ, ଏସ୍‍ସିଓ ଖାଦ୍ୟ ମହୋତ୍ସବ, ପର୍ଯ୍ୟଟନ ଉପରେ ୱେବିନର୍ ଏବଂ ସେମିନାର, ଏହି ଅଞ୍ଚଳରେ ପର୍ଯ୍ୟଟନର ପ୍ରୋତ୍ସାହନ ତଥା ବିକାଶ ଉପରେ ବିଶେଷଜ୍ଞ ଅଧିବେଶନ କରିବେ। ଏହି ବୈଠକରେ ୨୦୨୩ ରେ ଏସସିଓ ଅଞ୍ଚଳରେ ପର୍ଯ୍ୟଟନ ବିକାଶ ବର୍ଷ ପାଇଁ କାର୍ଯ୍ୟ ଯୋଜନା ମଧ୍ୟ ଗ୍ରହଣ କରାଯାଇଥିଲା । ଏହି ଖସଡା ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କର ପର୍ଯ୍ୟଟନ ଉତ୍ପାଦକୁ ପ୍ରୋତ୍ସାହନ ଏବଂ ପ୍ରଦର୍ଶନ କରିବା ପାଇଁ କାର୍ଯ୍ୟକଳାପର ଏକ ତାଲିକା ଚିହ୍ନଟ କରାଯାଇଛି।

ବୈଠକ ପରେ ଏସସିଓ ସଦସ୍ୟ ଦେଶମାନଙ୍କର ପର୍ଯ୍ୟଟନ ପ୍ରଶାସନର ମୁଖ୍ୟଙ୍କ ମିଳିତ ବିବୃତ୍ତି ମଧ୍ୟ ଜାରି କରାଯାଇଛି । ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଦୁଇଟି ବିଶେଷଜ୍ଞ କାର୍ଯ୍ୟ ଗୋଷ୍ଠୀ (ଇଡବ୍ଲୁଜି) ବୈଠକ ପୂର୍ବରୁ ଏସସିଓ ପର୍ଯ୍ୟଟନ ପ୍ରଶାସନର ମୁଖ୍ୟମାନଙ୍କର ବୈଠକ ହୋଇଥିଲା । ପ୍ରଥମ ଇଡବ୍ଲୁଜି ବୈଠକ ୩୧.୦୧.୨୦୨୩ ରେ ଅନଲାଇନରେ ଅନୁଷ୍ଠିତ ହୋଇଥିଲାବେଳେ ଇଡବ୍ଲୁଜିର ଦ୍ୱିତୀୟ ବୈଠକ ୧୪-୧୫ ମାର୍ଚ୍ଚ ୨୦୨୩ ରେ ବାରଣାସୀରେ ସମସ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର