ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁରର ଜଣେ ୧୯ ବର୍ଷୀୟ ଛାତ୍ର ଏକ ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍ ପାଇଁ ନାମ ଲେଖାଇବା ଦିନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ କହିଛି ଯେ ସେମାନେ ଘଟଣାସ୍ଥଳରୁ ଏକ ଆତ୍ମହତ୍ୟା ନୋଟ୍ ପାଇଛନ୍ତି, ଯେଉଁଥିରେ ଉକ୍ତ ଛାତ୍ର ଡାକ୍ତର ହେବାକୁ ଚାହୁ ନ ଥିବା ପ୍ରକାଶ କରିଛନ୍ତି। ଅଧିକାରୀମାନେ ମୃତକଙ୍କୁ ସିଣ୍ଡେୱାହି ତାଲୁକାର ନାଭରଗାଓଁର ଅନୁରାଗ ଅନିଲ ବୋରକର ବୋଲି ଚିହ୍ନଟ କରିଛନ୍ତି। 

Advertisment

ଅନୁରାଗ ନିଟ୍‌ ୟୁଜି ୨୦୨୫ ପରୀକ୍ଷାରେ ୯୯.୯୯% ସ୍କୋର କରିଥିଲେ। ଅନୁରାଗ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ବର୍ଗରେ ୧୪୭୫ ତମ ସ୍ଥାନ ହାସଲ କରିଥିଲେ ଏବଂ ବୁଧବାର ଏହି ପାଠ୍ୟକ୍ରମରେ ଯୋଗଦେବାକୁ ପ୍ରସ୍ତୁତ ହୋଇଥିଲେ। ଅନୁରାଗଙ୍କୁ ଉତ୍ତରପ୍ରଦେଶର ଗୋରଖପୁରରେ ଥିବା ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବାର ସୁଯୋଗ ମିଳିଥିଲା। କିନ୍ତୁ କଲେଜ ଯିବା ପୂର୍ବରୁ ଅନୁରାଗଙ୍କୁ ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏକ ସୁଇସାଇଡ୍ ନୋଟ୍ ଜବତ କରାଯାଇଥିଲା, ଯେଉଁଥିରେ ସେ ଲେଖିଥିଲେ, ମୁଁ ଡାକ୍ତର ହେବାକୁ ଚାହେ ନାହିଁ। ନାବରଗାଓଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂତ୍ରରୁ ପ୍ରକାଶ ଯେ, ଅନୁରାଗଙ୍କର ବିଦେଶରେ ଡାକ୍ତରୀ ଅଧ୍ୟୟନ କରିବାକୁ ଇଚ୍ଛା ଥିଲା। ତେବେ ସରକାରୀ ମେଡିକାଲ କଲେଜରେ ସିଟ୍ ପାଇବା ପରେ ସେ ଭାରତରେ ରହିବେ ବୋଲି ତାଙ୍କ ପରିବାର ଜିଦ୍ ଧରିଥିଲେ।