ନୂଆଦିଲ୍ଲୀ : ଆସନ୍ତାମାସରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପନ ହେବାକୁ ଥିବା ବଜେଟ୍‌ରେ କେନ୍ଦ୍ର ସରକାର ତଫସିଲଭୁକ୍ତ ଜାତି (ଏସ୍‌ସି), ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ଏବଂ ବରିଷ୍ଠ ନାଗରିକଙ୍କ ସ୍କିମ ଉପରେ ଗୁରୁତ୍ବ ଦେବେ। ଚଳିତବର୍ଷ ୯ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହେବାକୁ ଥିବାବେଳେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବ। ତେଣୁ ବଜେଟରେ ସରକାର ଏଭଳି ନିଷ୍ପତ୍ତି ନେବାର ସମ୍ଭାବନା ରହିଛି।

Advertisment

ବିଶେଷକରି ଏସ୍‌ସି ଏବଂ ଏସ୍‌ଟି ପିଲାଙ୍କ ପାଇଁ ଆବାସିକ ହଷ୍ଟେଲ ନିର୍ମାଣ ସହିତ ବରିଷ୍ଠ ନାଗରିକଙ୍କ ଯତ୍ନ ପାଇଁ ଗୃହ ଆଦି ନିର୍ମାଣ ବାବଦରେ ଅଧିକ ବ୍ୟୟବରାଦ କରିପାରନ୍ତି। ଏଥିସହିତ ୪୦ ପ୍ରତିଶତରୁ ଅଧିକ ଏସ୍‌ଟି ବର୍ଗର ଲୋକ ବାସ କରୁଥିବା ଗ୍ରାମ ଗୁଡ଼ିକରେ ମୌଳିକ ଭିତ୍ତିଭୂମି ନିର୍ମାଣ ବାବଦରେ ଅଧିକ ଅର୍ଥ ପ୍ରଦାନ କରାଯାଇପାରେ। ଏଥିସହିତ ଏସ୍‌ସି ଏବଂ ଏସ୍‌ଟିମାନଙ୍କ ମଙ୍ଗଳ ପାଇଁ କେନ୍ଦ୍ରର ବିଭିନ୍ନ ମନ୍ତ୍ରାଳୟ ଖର୍ଚ୍ଚ କରୁଥିବା ଅର୍ଥରାଶି ମଧ୍ୟ ବଢ଼ିପାରେ। ସଂପ୍ରତି କେନ୍ଦ୍ର ସରକାରଙ୍କ ୪୧ଟି ମନ୍ତ୍ରାଳୟ ପକ୍ଷରୁ ଏସ୍‌ସି ଓ ଏସ୍‌ଟି ବର୍ଗର ଲୋକଙ୍କ ପାଇଁ ୨ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏ ବାବଦରେ ପାଖାପାଖି ୨.୨ ରୁ ୨.୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।