ଏସ୍‌ସି ଏସ୍‌ଟି ଆଇନର ଦୁରୁପଯୋଗ ରୋକିଲେ ସୁପ୍ରିମକୋର୍ଟ:ସରକାରୀ ଅଧିକାରୀ ତତ୍କାଳ ଗିରଫ ହେବେନି

ନୂଆଦିଲ୍ଲୀ: ଅଭିଯୋଗ ମିଳିଲା ମାତ୍ରେ ଅନୁସୂଚିତ ଜାତି ଓ ଜନଜାତି କ୍ରୂରତା ନିବାରଣ ଆଇନ ବଳରେ କୌଣସି ସରକାରୀ ଅଧିକାରୀଙ୍କୁ ତୁରନ୍ତ ଗିରଫ କରାଯାଇପାରିବନି ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏହି ଆଇନର ଦୁରୁପଯୋଗ ଉପରେ ବିଚାରପତି ଆଦର୍ଶ ଗୋଏଲ୍‌ ଏବଂ ୟୁ ୟୁ ଲଳିତଙ୍କ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିବା ସହ ଏହାର ଲାଗୁ ପାଇଁ କଡ଼ା ସର୍ତ୍ତ ରଖିଛନ୍ତି। କୌଣସି ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟାସତ୍ୟ ତଦନ୍ତ କରିବା ପରେ ହିଁ ତାଙ୍କୁ ଗିରଫ କରାଯାଇପାରିବ। ଏପରିକି ସେଭଳି ଅଭିଯୋଗର ପ୍ରାଥମିକ ତଦନ୍ତ କେବଳ ଜଣେ ପୁଲିସ ଉପଅଧୀକ୍ଷକ(ଡିଏସ୍‌ପି) ପାହ୍ୟା କିମ୍ବା ତାଙ୍କଠାରୁ ଉଚ୍ଚ ପାହ୍ୟାର ପୁଲିସ ଅଧିକାରୀ ହିଁ କରିପାରିବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଏହି ଆଇନ ବଳରେ କୌଣସି ଅଧିକାରୀଙ୍କୁ ଗିରଫ କରାଗଲେ ତାଙ୍କୁ ଅନ୍ତରୀଣ ଜାମିନ ମିଳିବାର ସମ୍ଭାବନା ନାହିଁ। ସୁତରାଂ କୌଣସି ଅଧିକାରୀଙ୍କ ଉପରେ ଆକ୍ରୋଶ ରଖି କେହି ଏଭଳି ମିଛ ମାମଲା ଦାଏର କରିବାର ଆଶଙ୍କାକୁ ଦୂରେଇବା ପାଇଁ ଅଦାଲତ ଏଭଳି ନିଷ୍ପତ୍ତି ନେଇଛନ୍ତି। କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ ଏଭଳି ମାମଲା ଦାଏର ପରେ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ହିଁ ଅଭିଯୋଗର ପ୍ରାଥମିକ ତଦନ୍ତ କରିବେ। ତାହା ପରେ ଅଭିଯୁକ୍ତ ଅଧିକାରୀଙ୍କୁ ଗିରଫ କରାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର