ନୂଆଦିଲ୍ଲୀ: ଗୁରୁବାର ସକାଳେ ଲଟ୍ୟେନ୍ ଠାରେ ଥିବା ପୂର୍ବତନ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ବାସଭବନ ସାମ୍ନାରେ ବୁଲାବୁଲି କରି କିଛି ଦେଖୁଥିବା ଚାରି ଜଣ ଲୋକଙ୍କୁ ତାଙ୍କର ଅଙ୍ଗରକ୍ଷୀମାନେ ଧରି ପକାଇବାରୁ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।
ପରେ ବର୍ମାଙ୍କ ଲୋକେ ଅଭିଯୋଗ କରିଥିଲେ କି, ସେମାନେ ଗୁଇନ୍ଦା ବ୍ୟୁରୋ ଲାଗି କାର୍ଯ୍ୟ କରୁଛନ୍ତି । ସେମାନଙ୍କର ନାମ ଏବଂ ଜବତ କରାଯାଇଥିବା ମୋବାଇଲ୍ ଫୋନ୍ ଆଦିର ସୂଚନା ପ୍ରକାଶ କରିଥିଲେ। ସେମାନଙ୍କ ଠାରୁ ଗୁଇନ୍ଦା ବ୍ୟୁରୋର ପରିଚୟ ପତ୍ର ମିଳିଥିବା ଜଣାପଡ଼ିଛି।
୨, ଜନପଥ ନିକଟ ରାସ୍ତାରେ ୪ ଜଣ ଲୋକ ସେମାନଙ୍କ କାର୍ରେ ବସିଥିବା ବେଳେ ବର୍ମାଙ୍କର ବ୍ୟକ୍ତିଗତ ନିରାପତ୍ତା ଅଧିକାରୀ ଝଡ଼ ବେଗରେ ଯାଇ ସେମାନଙ୍କ ନିକଟରେ ପହଞ୍ଚିଥିଲେ। ସେମାନଙ୍କୁ ଧରି ନେଇ ବର୍ମାଙ୍କ ଘର ଭିତରେ ପ୍ରାୟ ୪୫ ମିନିଟ୍ ଧରି ପଚରାଉଚୁରା କରାଯାଇଥିଲା। ପରେ ସେମାନଙ୍କୁ ସ୍ଥାନୀୟ ପୁଲିସ ଜିମାରେ ଦିଆଯାଇଥିଲା।
ପୁଲିସ କହିଛି ଯେ ସେମାନେ ଘଟନାର ତଦନ୍ତ କରିବା ସହ ଟିଭିରେ ପ୍ରସାରିତ ଭିଡିଓ ଫୁଟେଜ୍କୁ ତର୍ଜମା କରୁଛନ୍ତି।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡୁଛି କି, ବ୍ୟକ୍ତିଗତ ନିରାପତ୍ତା ଅଧିକାରୀ ତାଙ୍କ କର୍ତ୍ତବ୍ୟର ସୀମା ଟପି ଗଲା ପରି ମନେ ହେଉଛି। ଯଦି ସନ୍ଦେହଜନକ କାର୍ଯ୍ୟକଳାପ ଜଣା ପଡ଼ିଲା, ପ୍ରଥମେ ପୁଲିସକୁ ଖବର କରିବା କଥା ଥିଲା।
ଏ ମାମଲାରେ ଏକ ଏଫ୍ଆଇଆର୍ ଦାୟର କରାଯାଇ ବର୍ମାଙ୍କ ବ୍ୟକ୍ତିଗତ ନିରାପତ୍ତା ଅଧିକାରୀଙ୍କ ବୟାନ୍ ରେକର୍ଡ କରାଯିବ।