ନୂଆଦିଲ୍ଲୀ : ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କ ଏକକ ଚିତ୍ର ପ୍ରଦର୍ଶନୀ ‘ଚିତ୍ରକାବ୍ୟ’କୁ ଆଜି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଲୋଧିରୋଡସ୍ଥିତ ଇଣ୍ଡିଆ ହେରିଟେଜ୍ ସେଣ୍ଟର ଭିଜୁଆଲ୍ ଆର୍ଟ ଗ୍ୟାଲେରିରେ ଏହା ଚଳିତ ମାସ ୧୦ ପର୍ଯ୍ୟନ୍ତ ଚାଲିବ।
ଶିଳ୍ପୀ ଗଜେନ୍ଦ୍ରଙ୍କ ୪୫ ବର୍ଷର ଯାତ୍ରାକୁ ନେଇ ଏହି ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ପ୍ରର୍ଦଶନୀରେ ଶିଳ୍ପୀ ଗଜେନ୍ଦ୍ର ନିଜର ଗୀତ, ଚିତ୍ର ତଥା ସଫଳତାର ଏକାଧିକ ଚିତ୍ରଗୁଡ଼ିକୁ ପ୍ରଦର୍ଶିତ କରିଛନ୍ତି। ଶ୍ରୀ ସାହୁଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଜାତୀୟସ୍ତରର ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ, ତେନଜିଂ ନର୍ଗେ ଏବଂ ଧ୍ୟାନ ଚାନ୍ଦ ଟ୍ରଫିର ପ୍ରତିକୃତି, ପାଇକ ବିଦ୍ରୋହ ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଚଳିତ ମୁଦ୍ରାର ଡିଜାଇନ, ନବକଳେବର ଡାକଟିକଟ ଲୋଗୋ ଏବଂ ଏହାର ଡିଜାଇନ, ୭ଟି ଗୀତକୁ ନେଇ ସ୍ବରବର୍ଣ୍ଣି ସିଡି ପ୍ରଦର୍ଶିତ ହୋଇଛି। ଏଥି ସହିତ ଶ୍ରୀ ସାହୁଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ୨୦୦୯ର ପ୍ରଜ୍ଞାପନ ମେଢ଼, ୨୦୨୦ର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଙ୍କ ପ୍ରତିକୃତି ମଧ୍ୟ ପ୍ରଦର୍ଶିତ ହୋଇଛି। ଏହା ପୂର୍ବରୁ ସେ ଆମେରିକା ଓ ଭୁବନେଶ୍ବରରେ ମଧ୍ୟ ଏକକ ପ୍ରଦାର୍ନୀର ଆୟୋଜନ କରିସାରିଛନ୍ତି। ଉଦ୍ଘାଟନ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ଓ କଳାସଂସ୍କୃତିପ୍ରେମୀ ଉପସ୍ଥିତ ଥିଲେ।