ତିରୁଅନନ୍ତପୁରମ : କେରଳର ଉପକୂଳ ଜିଲ୍ଲା ଆଲାପୁଝାରେ ୧୨ ଘଣ୍ଟା ଭିତରେ ଦୁଇଟି ରାଜନୈତିକ ହତ୍ୟାକାଣ୍ଡକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳ ସଂପୂର୍ଣ୍ଣ ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି। ରବିବାର ଏବଂ ସୋମବାର ଦୁଇଦିନ ପାଇଁ ଜିଲ୍ଲାରେ ଏହି ଧାରା ଲାଗୁ ହୋଇଛି।

Advertisment

ପ୍ରଥମ ହତ୍ୟାର ଶିକାର ସୋସିଆଲ ଡେମେକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆ (ଏସଡିପିଆଇ) ରାଜ୍ୟ ସମ୍ପାଦକ ହୋଇଥିବା ବେଳେ ଦ୍ବିତୀୟ ନେତାଜଣକ ବିଜେପିର ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ। ଏସଡିପିଆଇ ରାଜ୍ୟ ସମ୍ପାଦକ କେ ଏସ୍‌ ସାନ୍‌ଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏର୍ଣ୍ଣାକୁଲମର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ଏହାର ଅଳ୍ପ କିଛି ଘଣ୍ଟା ପରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ରଞ୍ଜିତ ଶ୍ରୀନିବାସନଙ୍କୁ ରବିବାର ସକାଳେ ହତ୍ୟା କରାଯାଇଛି। ଶ୍ରୀନିବାସନ ଗତ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଥିଲେ। ରବିବାର ସକାଳେ ଏକ ଗ୍ୟାଙ୍ଗ୍ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ବାସଭବନରେ ତାଙ୍କୁ ଆକ୍ରମଣ କରାଯାଇଛି। ଏହି ସମୟରେ ତାଙ୍କ ମାଆ ଓ ପତ୍ନୀ ଘରେ ଉପସ୍ଥିତ ଥିଲେ। ରଞ୍ଜିତ ଆଲାପୁଝା ବାର୍‌ରେ ଓକିଲାତି ମଧ୍ୟ କରନ୍ତି। ଏହା ପୂର୍ବରୁ ଶନିବାର ରାତି ପ୍ରାୟ ୭ଟା ୩୦ ବେଳେ ଅନ୍ୟ ଏକ ଗ୍ୟାଙ୍ଗ୍ ଏସଡିପିଆଇ ନେତାଙ୍କୁ ଆକ୍ରମଣ କରିଥିଲେ। ଛୁରିମାଡ଼ ଫଳରେ ତାଙ୍କ ଦେହର ଏକାଧିକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। କିଛି ବ୍ୟକ୍ତି କାରରେ ଆସି ସାନ୍‌ଙ୍କୁ ବାଇକ୍‌ରୁ ଟାଣି ଆଣି ଆକ୍ରମଣ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ୪ ଜଣ ବ୍ୟକ୍ତି ସାନ୍‌ଙ୍କୁ ଆକ୍ରମଣ କରିଥିଲେ। ମଧ୍ୟରାତ୍ରିରେ କୋଚି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି।

ରାଜନୈତିକ ଶତ୍ରୁତାରୁ ଏହି ଦୁଇଟି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ତାଙ୍କୁ ହତ୍ୟା କରିବା ପଛରେ ଆରଏସଏସର ହାତ ରହିଛି ବୋଲି ଏସଡିପିଆଇ ଦାବି କରିଛି।
ଦୁଇଟି ଯାକ ରା‌ଜନୈତିକ ହତ୍ୟାକୁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ନିନ୍ଦା କରିଛନ୍ତି। ଏଭଳି ଜଘନ୍ୟ ହତ୍ୟା ଏବଂ ଅମାନବୀୟ ହିଂସା ରାଜ୍ୟପାଇଁ ବିପଦ। ସବୁ ଲୋକ ଏଭଳି ଗୋଷ୍ଠୀକୁ ଚିହ୍ନଟ କରିବା ସହିତ ସେମାନଙ୍କ ଆଚରଣକୁ ନିନ୍ଦା କରିବେ ବୋଲି ମୁଖ୍ୟମନ୍ତ୍ରୀ ବିଜୟନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ହାତଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।