ଭୟଙ୍କର ବିପଦ ଆଣିବ ବିଶ୍ବତାପନ: ସମୁଦ୍ର ସ୍ତର ୨.୮ ଫୁଟ ବଢ଼ିବ

ନଦୀରେ ଆସିବ ପ୍ରଳୟଙ୍କରୀ ବନ୍ୟା ଗଙ୍ଗା, କୃଷ୍ଣା, ଗୋଦାବରୀ, ମହାନଦୀ ପ୍ରତି ବିପଦ

ନୂଆଦିଲ୍ଲୀ: ବିଶ୍ବତାପନ ଯୋଗୁ ଭାରତକୁ ଘେରିରହିଥିବା ସମୁଦ୍ରର ଜଳସ୍ତର ୨.୮ ଫୁଟ ବୃଦ୍ଧି ପାଇବ। ୩.୫ ଇଞ୍ଚ୍‌ରୁ ୩୪ ଇଞ୍ଚ୍ ପର୍ଯ୍ୟନ୍ତ ଜଳରାଶି ଫୁଲିଉଠିବ। ଏହାଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଯିବ ଏବଂ ପ୍ରଳୟଙ୍କରୀ ବନ୍ୟା ଆସିବ। ମୁମ୍ବାଇ ସମେତ ପୂର୍ବ ଭାରତର ଅନେକ ସ୍ଥାନ ପ୍ରଭାବିତ ହେବ। ବିଶେଷକରି ତଟବର୍ତ୍ତୀ ଅଞ୍ଚଳରେ ବିପଜ୍ଜନକ ପରିସ୍ଥିତି ଉପୁଜିବ ହାଇଦ୍ରାବାଦଭିତ୍ତିକ ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍ ସେଣ୍ଟର ଫର୍‌ ଓସନ୍‌ ଇନ୍‌ଫର୍ମେସନ୍‌ ସର୍ଭିସେସ୍‌ ଦ୍ବାରା ପ୍ରସ୍ତୁତ ରିପୋର୍ଟକୁ ଆଧାର କରି ସରକାରଙ୍କ ପକ୍ଷରୁ ଏଭଳି ସତର୍କ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଏଥସହ ଯୋଡ଼ି ହୋଇରହିଥିବା ବଡ଼ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବ। ମୁମ୍ବାଇ ଏବଂ ଗୁଜରାଟର କଚ୍ଛ ଓ ଦକ୍ଷିଣ କେରଳର କିଛି ଅଂଶ ପ୍ରତି ଅଧିକ ବିପଦ ସୃଷ୍ଟି ହେବ। ଖାଲି ସେତିକି ନୁହେଁ, ଗଙ୍ଗା, କୃଷ୍ଣା, ଗୋଦାବରୀ, ମହାନଦୀ ଓ କାବେରୀ ନଦୀ ପ୍ରତି ମଧ୍ୟ ବଡ଼ ବିପଦ ମାଡ଼ିଆସିବ। ଏହାଦ୍ବାରା ବନ୍ୟା ପରିସ୍ଥିତି ଉପୁଜିପା‌ରେ ବୋଲି ଆଶଙ୍କା କରାଯାଉଛି। ଲୋକସଭାରେ ସରକାର ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ଶତାବ୍ଦୀର ଶେଷ ବେଳକୁ ଏଭଳି ସମସ୍ୟା ଦେଖାଦେବ ବୋଲି ଦର୍ଶାଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ସମୁଦ୍ର ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଭାରତର ଖାଦ୍ୟ ନିରାପତ୍ତା ପ୍ରତି ବିପଦ ଦେଖାଦେବ। ନଦୀ ଜଳ ଉପରେ ନିର୍ଭର କରି କୋଟି କୋଟି ଚାଷୀ ତଟବର୍ତ୍ତୀ ଅଞ୍ଚଳ‌ରେ ଚାଷବାସ କରିଥାନ୍ତି। କିନ୍ତୁ ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁ ନଦୀ ଜଳ ବ୍ୟବସ୍ଥା ବିଗିଡ଼ିଯିବ, ଫଳରେ ଚାଷ ପ୍ରଭାବିତ ହେବ। ଜଳସେଚିତ ଚାଷଜମି ମଧ୍ୟ ପ୍ରଭାବିତ ହେବା‌ ଆଶଙ୍କା ରହିଛି। ସଂସଦରେ ଏ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ରଖି ପରିବେଶ ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା କହିଛନ୍ତି, ରିପୋର୍ଟ ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ତଟବର୍ତ୍ତୀ ଭୂତଳ ଜଳ ଉପରେ ଖରାପ ପ୍ରଭାବ ପଡ଼ିବ। ଏହି ପାଣିର ଗୁଣବତ୍ତା ହ୍ରାସ ଘଟିବ। ତା’ଛଡ଼ା ଭୟଙ୍କର ବନ୍ୟା ଆସିବା ନେଇ ଆଶଙ୍କା କରାଯାଉଥିବାରୁ ତଟବର୍ତ୍ତୀ ଚାଷଜମିରେ ଉତ୍ପାଦନ ପ୍ରଭାବିତ ହେବ। ଏଥିଯୋଗୁ ଲକ୍ଷ ଲକ୍ଷ ଲୋକ ଜୀବିକାଶୂନ୍ୟ ହୋଇପଡ଼ିବେ। ତେବେ ଏଭଳି ସମସ୍ୟାର ପ୍ରତିକାର ପାଇଁ ବିହିତ ପଦକ୍ଷେପ ନେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶର୍ମା କହିଛନ୍ତି। ତଟବର୍ତ୍ତୀ ଅଞ୍ଚଳ ଏବଂ ଏଠାରେ ଚାଷ ଉପରେ ନିର୍ଭର କରି ରହୁଥିବ‌ା ଲୋକଙ୍କ ସୁରକ୍ଷା ପାଇଁ ସରକାର ଆବଶ୍ୟକ ଅନୁସାରେ ପଦକ୍ଷେପ ନେବେ। ତା’ଛଡ଼ା ଏ ବାବଦରେ ଅଧିକ କ’ଣ କରାଯାଇ ପାରିବ, ସେ ନେଇ ଏହି ରିପୋର୍ଟ ଜାତିସଂଘ ନିକଟକୁ ପଠାଯାଇଛି।

ସମ୍ବନ୍ଧିତ ଖବର