ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଢୁଛି ସମୁଦ୍ରପତ୍ତନ, ବିପଦରେ ଭାରତର ୪ଟି ବଡ଼ ସହର : ଆଇପିସିସି

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନର ବିପଦ ମାନବ ସମାଜ ଆଗରେ ଏକ ବଡ଼ ବିପଦ ଭାବେ ଦେଖାଦେଇଛି । ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଉଛି ଓ ଏହାଦ୍ୱାରା ଉପକୂଳ ଅଞ୍ଚଳ ସମୁଦ୍ରରେ ବିଲୀନ ହେବା ଆଶଙ୍କା ରହିଛି । ଜାତିସଂଘର ଜଳବାୟୁ ସଂସ୍ଥା ଇଣ୍ଟରଗଭର୍ନମେଣ୍ଟାଲ ପ୍ୟାନେଲ ଅନ କ୍ଲାଇମେଟ ଚେଞ୍ଜ ବା ଆଇପିସିସି ପକ୍ଷରୁ କୁହାଯାଇଛି ଯେ ସମୁଦ୍ର ଜଳପତ୍ତନ ବୃଦ୍ଧି ଯୋଗୁଁ ସାରା ବିଶ୍ୱର ପ୍ରାୟ ୪୫ଟି ଉପକୂଳବର୍ତ୍ତି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ବିପଦ ଦେଖାଦେଇଛି ।

ଏହି ୪୫ଟି ସହର ମଧ୍ୟରେ ଭାରତର ମୁମ୍ବାଇ, ସୁରତ,କୋଲକତା ଓ ଚେନ୍ନାଇ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି । କେବଳ ଏତିକି ନୁହେଁ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିମାଳୟର ଗ୍ଲାସିୟର ତରଳିବା ଯୋଗୁଁ ଏଥିରୁ ବାହାରିଥିବା ନଦୀଗୁଡ଼ିକ ଶୁଷ୍କ ହୋଇଯିବ ଓ ସମଗ୍ର ଉତ୍ତର ଭାରତରେ ଜଳ ସଂକଟ ଦେଖାଦେବ ବୋଲି ଆଇପିସିସି କହିଛି । ପୂର୍ବରୁ ଯେତିକି ଅଟକଳ କରାଯାଉଥିଲା ସମୁଦ୍ରପତ୍ତନ ବୃଦ୍ଧି ତାଠାରୁ ଆହୁରି ଦ୍ରୁତ ଗତିରେ ହେଉଛି । ଏପରି ଲାଗି ରହିଲେ ଆସନ୍ତା ୨୧୦୦ ସୁଦ୍ଧା ସମୁଦ୍ର ପତ୍ତନ ପ୍ରାୟ ୧ ମିଟର ବୃଦ୍ଧି ପାଇବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର