ଲକ୍‌ଡାଉନ୍‌ ପାଇଁ ସବୁ ରାଜ୍ୟ ସୀମାରେ ଯାଞ୍ଚ କଡ଼ାକଡ଼ି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ଏବଂ ଏସ୍‌ପିମାନେ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି କେନ୍ଦ୍ର ସରକାର ଚେତାଇ ଦେବା ପରେ ବିଭିନ୍ନ ରାଜ୍ୟ ସୀମାରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଫସି ରହିଥିବା ଗରିବ , ଅସହାୟ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରମାନେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଖାଦ୍ୟ ଏବଂ ଆଶ୍ରୟସ୍ଥଳର ବ୍ୟବସ୍ଥା କରୁଛନ୍ତି। ଲକ୍‌ଡାଉନ୍‌କୁ ଦିଲ୍ଲୀରେ ଉଲ୍ଲଂଘନ କରିବା ପାଇଁ ଦିଲ୍ଲୀ ସରକାର ହିଁ ବଡ଼ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହେବାପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ବିହାର ଜଳ ସଂପଦ ମନ୍ତ୍ରୀ ସଂଜୟ ଝା କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କୁ ପଳାୟନ ପାଇଁ ଆହ୍ବାନ ଦେଇ ଏବଂ ଏଥିପାଇଁ ରାସ୍ତା ଖୋଲି ଦେଇ ଦିଲ୍ଲୀ ସରକାର ଲକ୍‌ଡାଉନ୍‌କୁ ଭାଙ୍ଗିବାକୁ ବହୁତ ବଡ଼ ଷଡ଼ଯନ୍ତ୍ର କରିଛନ୍ତି। ବିହାର ଏବଂ ଉତ୍ତର ପ୍ରଦେଶର ଶ୍ରମିକଙ୍କୁ କେବଳ ଭୋଟ୍‌ ପାଇଁ ଉପଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ଲକ୍‌ଡାଉନ୍‌ ସମୟରେ ସେମାନଙ୍କୁ ଯିବା ପାଇଁ ଏକପ୍ରକାର ବାଧ୍ୟ କରିଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜେପି ସାଂସଦ ଗୌତମ ଗମ୍ଭୀର ମଧ୍ୟ କେଜ୍ରିୱାଲଙ୍କୁ ଏଥିପାଇଁ କଡ଼ା ସମାଲୋଚନା କରିଛନ୍ତି। ଯଦି ଦିଲ୍ଲୀ ବଞ୍ଚିବ ନାହିଁ, ତେବେ କେଜ୍ରିୱାଲ କାହାକୁ ମିଥ୍ୟା ବିକ୍ରି କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ସ୍ଥିତି ପାଇଁ ଦାୟୀ ବୋଲି କହିଛନ୍ତି। ଏହି ସଙ୍କଟ ସମୟରେ ମଧ୍ୟ ରାଜନୀତି ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର