ସମୁଦ୍ର ଉପରେ ଅଧ୍ୟୟନ କରିବା ଏକ ଦୁଃସାଧ୍ୟ କାର୍ଯ୍ୟ। ଏଥିପାଇଁ ଏପରି ଯନ୍ତ୍ର ଆବଶ୍ୟକ ଯାହା ସମୁଦ୍ର ପାଣିରେ କ୍ଷୟ ହେଉ ନ ଥିବ ଏବଂ ଗଭୀର ପାଣିରେ ଭୀଷଣ ଚାପକୁ ମଧ୍ୟ ସହି ପାରୁଥିବ। ଏଭଳି ଆହ୍ବାନପୂର୍ଣ୍ଣ ପରିବେଶରେ ରୋବଟ୍‌ମାନଙ୍କୁ ନିୟୋଜିତ କରାଯାଉଛି। ତେବେ ଏଲିଫ୍ୟାଣ୍ଟ୍‌ ସିଲ୍‌ ଓ ୱେଡେଲ୍‌ ସିଲ୍‌ ଭଳି ସାମୁଦ୍ରିକ ପ୍ରାଣୀମାନଙ୍କ ଦ୍ବାରା ଅତି ସହଜରେ ଏବଂ ପ୍ରାକୃତିକ ଭାବରେ ଏହି କାର୍ଯ୍ୟ ସାଧିତ ହୋଇପାରୁଛି।

Advertisment

ଖର୍ଚ୍ଚ ହ୍ରାସ କରି ବୈଜ୍ଞାନିକ ଗୁଣବତ୍ତାକୁ ଉଚ୍ଚ ରଖିବା ପାଇଁ ଅଷ୍ଟ୍ରେଲିଆର ଦଳେ ସାମୁଦ୍ରିକ ଅନୁସନ୍ଧାନକାରୀ ସିଲ୍‌ ମାଛକୁ ନିୟୋଜିତ କରୁଛନ୍ତି। ସିଲ୍‌ ମାଛ ମୁଣ୍ଡ ଉପରେ ଏକ ପ୍ରକାର ଟ୍ରାକର୍‌ ଖଞ୍ଜି ସାମୁଦ୍ରିକ ତାପମାତ୍ରା, ଲବଣତା ଓ ଗଭୀରତା ଆଦି ତଥ୍ୟ ଅତି ନିଖୁଣ ଭାବରେ ସଂଗ୍ରହ କରିପାରୁଛନ୍ତି। ଏହି ଟ୍ରାକର୍‌ ଦ୍ବାରା ସମୁଦ୍ରର କିଛି ସ୍ଥାନର ସଠିକ୍‌ ଗଭୀରତା ଜଣା ପଡ଼ିଛି ଯାହା ପୂର୍ବରୁ କମ୍‌ ବୋଲି ବିଶ୍ବାସ କରାଯାଉଥିଲା। ଏଥି ସହିତ ସିଲ୍‌ ମାଛ ଦ୍ବାରା ଆଣ୍ଟାର୍କଟିକା ସମୁଦ୍ରରେ ଅନାବିଷ୍କୃତ ରହିଥିବା ଏକ ‘କାନ୍ୟନ୍‌’ର ମଧ୍ୟ ସନ୍ଧାନ ମିଳିଛି।

ସିଲ୍‌ ମାଛର ଆଉ ଏକ ବିଶେଷତ୍ବ ହେଲା, ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ବରଫର ଘନ ଆସ୍ତରଣ ଜାହାଜ ବା ଅନ୍ୟାନ୍ୟ ମାନବ ଉପକରଣକୁ ପ୍ରବେଶ କରିବାରେ ବାଧା ଦେଉଥିବା ବେଳେ ସିଲ୍‌ ମାଛ ସେଠାକୁ ଅନାୟାସରେ ଯାଇପାରୁଛି।