ଏଲ୍‌ଆଇସିର ନୂଆ ଅଧ୍ୟକ୍ଷ, ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପାଇଁ ପ୍ରାର୍ଥୀ ଖୋଜା

ନୂଆଦିଲ୍ଲୀ : ସରକାରୀ ଜୀବନ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପୂର୍ବକାଳୀନ ଅଧ୍ୟକ୍ଷ ଲାଗି ଖୁବ୍‌ଶୀଘ୍ର ପ୍ରାର୍ଥୀ ଖୋଜା କାର୍ଯ୍ୟ ଆରମ୍ଭ ହେବ। ବର୍ତ୍ତମାନ ଏହି ପଦରେ ଓଡ଼ିଆ ଅଧିକାରୀ ସିଦ୍ଧାର୍ଥ ମହାନ୍ତି କାର୍ଯ୍ୟ କରୁଛନ୍ତି। ତାଙ୍କୁ ତିନି ମାସ ପାଇଁ ନିଯୁକ୍ତି ଦିଆଯାଇଛି। ସେ ଅବସର ନେବା ପରେ ସେହି ପଦରେ କିଏ କାର୍ଯ୍ୟ କରିବେ ଏବେଠାରୁ ତାଙ୍କୁ ଖୋଜିବା କାର୍ଯ୍ୟକୁ ଆର୍ଥିକ ସେବା ଅନୁଷ୍ଠାନ ବ୍ୟୁରୋ (ଏଫ୍ଏସ୍‌ଆଇବି) ଶୀଘ୍ର ଆରମ୍ଭ କରିବ। ଚଳିତ ମାସରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଉଛି। ଚୟନ କମିଟି ସଦସ୍ୟମାନେ ଉପଲବ୍ଧ ହେଲେ ଆସନ୍ତା ସପ୍ତାହରେ ପ୍ରାର୍ଥୀମାନଙ୍କ ସାକ୍ଷାତକାର ନିଆଯିବ। କଂପାନିରେ ଏବେ ଏମ୍‌ ଜଗନ୍ନାଥ ଓ ମିନି ଇପେଙ୍କ ସମେତ ଚାରି ଜଣ ଏମ୍‌ଡି ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟତମ ଏମ୍‌ଡି ବି ସି ପଟ୍ଟନାୟକ ଚଳିତ ମାସ ୩୧ରେ ଅବସର ନେବେ। ତାଙ୍କ ସ୍ଥାନରେ ତବଲେଶ ପାଣ୍ଡେଙ୍କୁ ନିଯୁକ୍ତ କରାଯାଇଛି।

ଅନ୍ୟ ପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଡେପୁଟି ଗଭର୍ଣ୍ଣର ପଦ ଲାଗି ମଧ୍ୟ ଅର୍ଥ ମନ୍ତ୍ରାଳୟ ଉପଯୁକ୍ତ ପ୍ରାର୍ଥୀ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଛି। ବର୍ତ୍ତମାନ ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବା ଏମ୍‌ କେ ଜୈନ୍‌ ଜୁନ୍‌ରେ ଅବସର ନେବେ। ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତ କରାଯିବ। ରିଜର୍ଭ ବ୍ୟାଙ୍କରେ ଚାରି ଜଣ ଡେପୁଟି ଗଭର୍ଣ୍ଣର ଅଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରୁ ସେମାନଙ୍କୁ ଚୟନ କରାଯାଇଥାଏ। ଡେପୁଟି ଗଭର୍ଣ୍ଣର ପଦ ଲାଗି ଆବେଦନ କରିବାର ଶେଷ ତାରିଖ ହେଉଛି ଏପ୍ରିଲ୍‌ ୧୦। ତିନି ବର୍ଷ ପାଇଁ ତାଙ୍କୁ ନିଯୁକ୍ତି ଦିଆଯିବ ଓ ଦରକାର ପଡ଼ିଲେ ତାଙ୍କ କାର୍ଯ୍ୟକାଳ ବଢ଼ିପାରିବ। ଏହି ପଦ ପାଇଁ ମାସିକ ଦରମା ୨.୨୫ ଲକ୍ଷ ଟଙ୍କା ରହିଛି।

ସମ୍ବନ୍ଧିତ ଖବର