ନୂଆଦିଲ୍ଳୀ: ନିଖୋଜ ବିମାନର ମିଳୁନି ପତା। ବାୟୁସେନା ବିମାନ ଏଏନ-୩୨ ନିଖୋଜ ହେବାକୁ ଆଜିକୁ ୩ଦିନ ହେଲାଣି, କିନ୍ତୁ ଏଯାଏଁ କୌଣସି ସନ୍ଧାନ ମିଳିପାରିନାହିଁ। ଖରାପ ପାଗ କାରଣରୁ ସର୍ଚ ଅପରେସନରେ ସାମାନ୍ୟ ବାଧା ଉପୁଜିଥିଲା। ଏବେ ପାଗ ଭଲ ହେବା ପରେ ଅପରେସନ ଜୋର୍‌ ଧରିଛି। ସ୍ୟାଟେଲାଇଟ, ସ୍ପାଏ ଏୟାରକ୍ରାଫ୍‌ଟ, ଫାଇଟର ଜେଟ୍‌, ହେଲିକପ୍ଟଟ ଓ ସେନା ଅପରେସନରେ ସାମିଲ ହୋଇଛନ୍ତି।

Advertisment

ଭାରତୀୟ ବାୟୁସେନାର ସି-୧୩୦, ଏଏନ-୩୨ ବିମାନ, ୨ଟି ଏମଆଇ-୧୭ ବିମାନକୁ ନିୟୋଜିତ କରାଯାଇଛି। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ବା ଇସ୍ରୋ ମଧ୍ୟ ଉପଗ୍ରହ ସହାୟତାରେ ଅପରେସନ କର୍ତାଙ୍କୁ ସହଯୋଗ କରୁଛି। ସେପଟେ ଅରୁଣାଚଳ ପ୍ରଦେଶ ଗୃହମନ୍ତ୍ରୀ ବମାଙ୍ଗ ଫେଲିକ୍ସଙ୍କ ସୂଚନା ଅନୁଯାୟୀ ରାଜ୍ୟର ୫ଟି ଜିଲ୍ଲାରେ ସର୍ଚ ଅପରେସନ ଜାରି ରହିଛି। ପ୍ରଶାସନକୁ ସହଯୋଗର ହାତ ବଢାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ଅପିଲ କରାଯାଇଛି।

ଗତ ସୋମବାର ଆସାମ ଏୟାରବେସରୁ ଉଡାଣ ଭରିବା ପରେ ବାୟୁସେନାର ଏଏନ-୩୨ ବିମାନ ନିଖୋଜ ହୋଇଯାଇଛି। ଏଯାଏଁ ବିମାନର କୌଣସି ସନ୍ଧାନ ମିଳିପାରିନାହିଁ। ଆସାମର ଜୋରହାଟରୁ ଅରୁଣାଚଳ ଅଭିମୁଖେ ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ଉଡ଼ାଣ ଭରିଥିଲା ବିମାନ। ହେଲେ ଅପରାହ୍ନ ୧ଟାରୁ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିମାନରେ ଥିଲେ ୮ ଜଣ କ୍ରୁ ମେମ୍ବର ଓ ୫ ଜଣ ଯାତ୍ରୀ। ତେବେ ଏହି ବିମାନଟି ଅରୁଣାଚଳ ପ୍ରଦେଶର ସିୟାଙ୍ଗ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି।