ସର୍ଚ୍ଚ ଅପରେସନ ଜାରି, ଆଦିବାସୀ ସର୍ଦ୍ଦାରଙ୍କ ସହ ଆଲୋଚନା:ଅପହୃତ ଭାରତୀୟଙ୍କ ପତ୍ତା ମିଳୁନି

ନୂଆଦିଲ୍ଲୀ: ଆଫଗାନିସ୍ତାନର ବାଘଲାନ ପ୍ରଦେଶରୁ ଗତକାଲି ଅପହୃତ ହୋଇଥିବା ୭ ଭାରତୀୟ ଇଂଜନିୟରଙ୍କ କୌଣସି ପତ୍ତା ମିଳୁନାହିଁ। ବାଘଲାନ ପ୍ରଦେଶର ଚେସ୍‌୍‌ମା-ଏ-ଶେର ଅଂଚଳରେ ବ୍ୟାପକ ତଲାସି ଅଭିଯାନ ଚାଲିଥିବା ବେଳେ ଏଥିରେ ଆଫ୍‌ଗାନ୍‌ ସେନା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏକ ପାଓ୍ଵାର ପ୍ଲାଣ୍ଟ୍‌ରେ କାର୍ଯ୍ୟରତ ୭ ଜଣ ଭାରତୀୟ ଇଂଜିନିୟରଙ୍କୁ ସଶସ୍ତ୍ର ଆତଙ୍କବାଦୀମାନେ ଅପହରଣ କରି ଏକ ଟ୍ରକ୍‌ରେ ପାକିସ୍ତାନ ସୀମା ଆଡ଼କୁ ନେଇଥିବା କୁହାଯାଉଛି। ଆଜି ବିଭିନ୍ନ ଦୁର୍ଗମ ଅଂଚଳରେ ଆଫଗାନ ସୁରକ୍ଷା ଅଧିକାରୀମାନେ ପହଞ୍ଚି ସ୍ଥାନୀୟ ଆଦିବାସୀ ନେତାଙ୍କ ସହ ଆଲୋଚନା କରି ଅପହୃତ ଭାରତୀୟଙ୍କ ଖୋଜଖବର ନେଇଛନ୍ତି।
ଅପହରଣ ପାଇଁ କୌଣସି ସଂଗଠନ ଏ ପର୍ଯ୍ୟନ୍ତ ନିଜକୁ ଦାୟୀ କରିନଥିଲେ ମଧ୍ୟ ଏଥିରେ ତାଲିବାନର ହାତ ରହିଥିବା କୁହାଯାଉଛି। ବାଘଲାନ ପ୍ରଦେଶ ଗଭର୍ଣ୍ଣର କହିଛନ୍ତି ଯେ ଭାରତୀୟ ଇଂଜିନିୟରମାନଙ୍କୁ ଆଫଗାନ୍‌ ସରକାରୀ କର୍ମଚାରୀ ବୋଲି ଭାବି ଆତଙ୍କବାଦୀମାନେ ସେମାନଙ୍କୁ ଅପହରଣ କରିଛନ୍ତି ଏବଂ ଖୁବ୍‌୍‌ଶୀଘ୍ର ଛାଡ଼ିଦେବେ ବୋଲି ସେ ଆଶା ରଖିଛନ୍ତି। ବାଘଲାନସ୍ଥିତ କେସିଏଲ୍‌ ନାମକ ଏକ ପାଓ୍ଵାର ପ୍ଲାଣ୍ଟରେ ଏହି ଇଂଜିନିୟରମାନେ କାମ କରୁଥିଲେ। ଭାରତୀୟ କମ୍ପାନିରେ କାର୍ଯ୍ୟରତ ଏହି ଇଂଜିନିୟରମାନଙ୍କୁ ସେମାନଙ୍କ କାର୍ଯ୍ୟକ୍ଷେତ୍ର ନିକଟରୁ ଅପହରଣ କରାଯାଇଥିବା ବେଳେ କେତେକ ସ୍ଥାନୀୟ ଲୋକଙ୍କ ହାତ ଥିବା ମଧ୍ୟ ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର