ଏମ୍ସରେ ୧୯ ଡାକ୍ତର, ୩୮ ନର୍ସ‌୍‌ଙ୍କ ସମେତ ୪୮୦ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ

ନୂଆ‌ଦିଲ୍ଲୀ: ଦିଲ୍ଲୀ ଏମ୍ସରେ ୧୯ ଡାକ୍ତର ଏବଂ ୩୮ ଜଣ ନର୍ସ‌୍‌ଙ୍କ ସମେତ ୪୮୦ରୁ ଅଧିକ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୭୪ ଜଣ ସୁରକ୍ଷା କର୍ମଚାରୀ, ୭୫ ଜଣ ହସ୍ପିଟାଲ୍‌ ଆଟେଣ୍ଡାଣ୍ଟ୍‌, ୫୪ ଜଣ ସଫେଇ କର୍ମଚାରୀ, ୧୪ ଲାବ୍ରୋଟୋରି ଟେକ୍‌ନିସିଆନ୍‌ ଏବଂ ଓଟି କର୍ମଚାରୀ ଅଛନ୍ତି। ତେବେ ୩ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଏମ୍ସରେ ମୃତ୍ୟୁ ହୋଇଛି। ସେହିପରି ଏମ୍ସରେ ମୁତୟନ ହୋଇଥିବା ଜଣେ ପୁଲିସ କ‌ରୋନା ଆକ୍ରାନ୍ତ ହେବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ପୁଲିସମାନଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି।

ଅନ୍ୟପକ୍ଷେ ହସ୍ପିଟାଲ୍‌ରେ କାର୍ଯ୍ୟ କରିବା ସ୍ଥିତିକୁ ନେଇ ଗତ ୩ ଦିନ ଧରି ହସ୍ପିଟାଲ୍‌ର ନର୍ସ‌୍‌ମାନେ ଆନ୍ଦୋଳନ କରିଥିବା ଜଣାପଡ଼ିଛି। କର୍ତ୍ତୃପକ୍ଷଙ୍କ ଦ୍ବାରା ଦିଆଯାଉଥିବା ପିପିଇ କିଟ୍‌ ନିମ୍ନମାନର ବୋଲି ଆନ୍ଦୋଳନରତ ନର୍ସ‌୍‌ମାାନେ ଦାବି କରିଛନ୍ତି। ତେବେ ତୃତୀୟ ରାଜ୍ୟ ଭାବେ ଦିଲ୍ଲୀ ଏମ୍ସରେ ସଂକ୍ରମଣ ସବୁଠୁ ଅଧିକ ଥିବାବେଳେ ଦିଲ୍ଲୀରେ ଅଧିକ ସଂଖ୍ୟାରେ ଡାକ୍ତର ଏବଂ ନର୍ସ‌୍ କରୋନା ସଂକ୍ରମିତ ହୋଇଛନ୍ତି। ମାର୍ଚ୍ଚରେ ପ୍ରଥମ ଥର ପାଇଁ ଏମ୍ସରେ କରୋନା ମାମଲା‌ ଚିହ୍ନଟ ହୋଇଥିଲା ଏବଂ ଏମ୍ସ ଓପିଡି ବନ୍ଦ କରାଯାଇଥିଲା। ଦିଲ୍ଲୀରେ ସଂକ୍ରମଣ ବଢ଼ିବାପରେ ହସ୍ପିଟାଲ୍‌ର ଟ୍ରମା ସେଣ୍ଟର୍‌କୁ ଡେଡିକେଟେଡ୍‌ କୋଭିଡ୍‌-୧୯ ହସ୍ପିଟାଲ୍‌ରେ ପରିଣତ କରାଗଲା। ସେହିପରି ଏପ୍ରିଲରେ ମଧ୍ୟ ଦିଲ୍ଲୀରେ କିଛି ହସ୍ପିଟାଲ୍‌ ସିଲ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର