ନୂଆଦିଲ୍ଲୀ: କର୍ଣ୍ଣାଟକର ବହୁଚର୍ଚ୍ଚିତ ଡିଏସ୍ପି ଏମ୍.କେ. ଗଣପତି ଆତ୍ମହତ୍ୟା ମାମଲାରେ ସିବିଆଇ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି। ଏହି ମାମଲାରେ ପୂର୍ବତନ ଗୃହମନ୍ତ୍ରୀ କେ.ଜେ. ଜର୍ଜଙ୍କ ସେମତ ଦୁଇ ଆଇପିଏସ୍ ଅଧିକାରୀ ପ୍ରଣବ ମହାନ୍ତି ଏବଂ ଏ.ଏମ୍. ପ୍ରସାଦ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ୨୦୧୬ରେ କର୍ଣ୍ଣାଟକର ମାଡିକେରି ଅଞ୍ଚଳରେ ଆତ୍ମହତ୍ୟା କରିବାର କେଇଘଣ୍ଟା ପୂର୍ବରୁ ଗଣପତି ଗୋଟିଏ ସ୍ଥାନୀୟ ଟିଭି ଚ୍ୟାନେଲ୍କୁ କହିଥିଲେ, ‘ଗୃହମନ୍ତ୍ରୀ କେ.ଜେ. ଜର୍ଜ ଏବଂ ଆଇପିଏସ୍ ପ୍ରଣବ ମହାନ୍ତି ଓ ଏ.ଏମ୍. ପ୍ରସାଦ ମୋତେ ବହୁତ ହଇରାଣ କରୁଛନ୍ତି। ମୋର କିଛି ବି କ୍ଷତି ହେଲେ, ସେଥିପାଇଁ ଏମାନେ ଦାୟୀ ରହିବେ।’ ଏଇ ଘଟଣାରେ ଅଦାଲତ ମନ୍ତ୍ରୀ ଓ ଦୁଇ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେବା ପରେ ଗୃହମନ୍ତ୍ରୀ ଜର୍ଜଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସିଆଇଡି ତଦନ୍ତରେ ଅସନ୍ତୁଷ୍ଟ ହୋଇ ଗଣପତିଙ୍କ ପରିବାର ସିବିଆଇ ତଦନ୍ତ ନିର୍ଦ୍ଦେଶ ପାଇଁ ସୁପ୍ରିମ୍କୋର୍ଟର ଦ୍ବାରସ୍ଥ ହୋଇଥିଲେ। ସିବିଆଇ ତିନି ଜଣ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ନ ପାଇ ମାମଲା ବନ୍ଦ କରିବାକୁ ରିପୋର୍ଟ ପ୍ରଦାନ କରିଛି। ମାନସିକ ଚାପ ଏବଂ ବ୍ୟକ୍ତିଗତ ସମସ୍ୟା ଥିବା କାରଣରୁ ଡିଏସ୍ପି ଗଣପତି ଆତ୍ମହତ୍ୟା କରିଥିଲେ ବୋଲି ସିବିଆଇ ତଦନ୍ତରୁ ଜଣାପଡ଼ିଛି। ‘ୟୁନିକ୍ ଆଇଡେଣ୍ଟିଫିେକସନ୍ ଅଥରିଟି ଅଫ୍ ଇଣ୍ଡିଆ’ର ଉପ ମହାନିର୍ଦ୍ଦେଶକ ପଦବିରେ କାର୍ଯ୍ୟରତ ଓଡ଼ିଆ ଆଇପିଏସ୍ ଅଧିକାରୀ ପ୍ରଣବ ମହାନ୍ତି ଜଣେ ଅତ୍ୟନ୍ତ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ ଅଫିସର ଭାବେ ସୁପରିଚିତ। ସେ ଆଗରୁ ଭୁବନେଶ୍ବର ସି.ବି.ଆଇର ଏସ୍.ପି ଭାବେ କାର୍ଯ୍ୟ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp