ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷକୁ ଇତିମଧ୍ୟରେ ୧୮ ଦିନ ବିତିଯାଇଛି। ୧୮ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳୁ ହଠାତ୍ ଲେହ୍ରେ ପହଞ୍ଚି ଯାଇଛନ୍ତି। ଲେହରେ ପହଞ୍ଚିବା ପରେ ସେଠାରେ ସ୍ଥଳସେନା, ବାୟୁସେନା ଓ ଆଇଟିବିପିର ଯବାନମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା ମନିଷ ତିୱାରୀ ପ୍ରଥମେ ଟ୍ବିଟରରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲେହ ଗସ୍ତର ଫଟୋକୁ ଏହି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଇନ୍ଦିରା ଗାନ୍ଧୀ ଯେତେବେଳେ ଲେହ ଗସ୍ତରେ ଯାଇଥିଲେ ସେତେବେଳେ ପାକିସ୍ତାନ ଦୁଇଭାଗ ହୋଇଥିଲା। ଏବେ ଦେଖିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ’ଣ କରୁଛନ୍ତି ବୋଲି ସେ ତାଙ୍କ ଟ୍ବିଟ୍ରେ ପ୍ରଶ୍ନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମନିଷ ତିୱାରୀ ଇନ୍ଦିରା ଗାନ୍ଧୀଙ୍କ ଲେହ ଗସ୍ତ ସଂକ୍ରାନ୍ତ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ୧୯୭୧ ମସିହାର। ସେହି ଫଟୋରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲେହଠାରେ ସୈନିକମାନଙ୍କୁ ଉଦ୍ବୋଧନ ଦେଉଛନ୍ତି। ଗଲୱାନ ଘାଟିଠାରୁ ଏହି ସ୍ଥାନର ଦୂରତା ୨୨୦ କିମି। ୧୯୭୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହାପରେ ବାଂଲାଦେଶ ସୃଷ୍ଟି ହୋଇଥିଲା। ଇନ୍ଦିରାଙ୍କ ଏହି ଫଟୋ ଅବଶ୍ୟ ଅନେକ ଦିନ ତଳୁ ସୋସିଆଲ ମିଡିଆରେ ବୁଲୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/fhsfh54sh45s6fhsfhsfhsfhsfhhf.jpg)